ଆମେରିକାରେ ବଢୁଛି ଭାରତୀୟ ବିଦ୍ୟାର୍ଥୀଙ୍କ ସଂଖ୍ୟା : ଗୋଟିଏ ବର୍ଷରେ ପଢିଛନ୍ତି ୧.୯୬ଲକ୍ଷ

ନ୍ୟୁୟର୍କ : ଆମେରିକାରେ ଭାରତୀୟ ବିଦ୍ୟାର୍ଥୀମାନଙ୍କ ସଂଖ୍ୟା ଆଶାତୀତ ଭାବେ ବଢିବାରେ ଲାଗିଛି । ଏହି ଦେଶରେ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନଗୁଡିକରେ ଯେତେ ସଂଖ୍ୟକ ବିଦ୍ୟାର୍ଥୀ ପଢୁଛନ୍ତି, ସେଥିରେ ଭାରତୀୟଙ୍କ ସଂଖ୍ୟା ସବୁଠୁ ଅଧିକ । ଏହା ଦ୍ୱିତୀୟସ୍ଥାନରେ ରହିଛି । କେବଳ ଗୋଟିଏ ବର୍ଷରେ (୨୦୧୭-୧୮)ଏକ ଲକ୍ଷ ୯୬ହଜାର ୨୭୧ ଜଣ ଭାରତୀୟ ଛାତ୍ରଛାତ୍ରୀ ଆମେରିକାରେ ପାଠ ପଢୁଛନ୍ତି । ଚର୍ଚ୍ଚିତ ବର୍ଷରେ ଭାରତୀୟ ଛାତ୍ରଛାତ୍ରୀ ସଂଖ୍ୟାରେ ୫.୪ ପ୍ରତିଶତ ବୃଦ୍ଧି ଘଟିଛି । ଆମେରିକାର ବୈଦେଶିକ ବିଭାଗ ଏବଂ ଅନ୍ତର୍ଜାତୀୟ ଶିକ୍ଷାନୁଷ୍ଠାନର ଓପନ ଡୋର୍ସ ରିପୋର୍ଟରୁ ଏହା ଜଣାପଡିଛି । ଅପରପକ୍ଷରେ ଆମେରିକାରୁ ୨୦୧୬-୧୭ ଶିକ୍ଷାବର୍ଷରେ ଭାରତକୁ ୪୭୦୪ ଛାତ୍ରଛାତ୍ରୀ ଆସିଛନ୍ତି । ସେ କ୍ଷେତ୍ରରେ ୧୨.୫ ପ୍ରତିଶତ ବୃଦ୍ଧି ଘଟିଛି । ରିପୋର୍ଟରେ କୁହାଯାଇଛି ଯେ, ଆମେରିକାରେ ପୋଷ୍ଟ ଗ୍ରାଜୁଏଟ୍ ସ୍ତରରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମୁଛି । ୨୦୧୭-୧୮ରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଥିଲା ୯୫୬୫୧ । ଯାହାକି ପୂର୍ବବର୍ଷ ତୁଳନାରେ ୮.୮ ପ୍ରତିଶତ କମ୍ । ତେବେ ପ୍ରାକ୍ଟିକାଲ ପ୍ରଶିକ୍ଷଣ କାର୍ଯ୍ୟକ୍ରମଗୁଡିକରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଆଶାତିତ ଭାବେ ବୃଦ୍ଧି ପାଇଛି । ଗ୍ରାଜୁଏସନ୍ ପରେ ଏହି କାର୍ଯ୍ୟକ୍ରମ ହୋଇଥାଏ । ୨୦୧୭-୧୮ରେ ଏହି ସଂଖ୍ୟାରେ ୩୨ପ୍ରତିଶତ ବୃଦ୍ଧି ଘଟି ୭୫୩୯୦ରେ ପହଞ୍ଚିଛି । ସେହିପରି ଅଣ୍ଡରଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ୬.୨ ପ୍ରତିଶତ ବୃଦ୍ଧି ଘଟି ୨୩ହଜାର ୩୪୬ରେ ପହଞ୍ଚିଛି । ଗତ ଶିକ୍ଷା ବର୍ଷରେ ଆମେରିକାରେ ପଢିଥିବା ମୋଟ୍ ୧,୦୯୪,୭୯୨ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାରତୀୟ ଛାତ୍ରଙ୍କ ଉପସ୍ଥିତି ହେଉଛି ୧୭.୯ ଭାଗ । ଆମେରିକାକୁ ବିଭିନ୍ନ ଶିକ୍ଷା ପାଇଁ ଅଧିକରୁ ଅଧିକ ଛାତ୍ରଛାତ୍ରୀ ପ୍ରତିବର୍ଷ ଯାଉଥିବାରୁ ସେହିଦେଶର ଆର୍ଥିକ ଅଭିବୃଦ୍ଧିରେ ଏହା ସହାୟକ ହୋଇପାରୁଛି । ଆମେରିକାରେ ବର୍ତ୍ତମାନ ଶିକ୍ଷା କ୍ଷେତ୍ରରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଚୀନ୍, କାନାଡା, ଜାପାନ, ସ୍ୱଜରଲାଣ୍ଡ, ଫ୍ରାନ୍ସ ଆଦି ଦେଶରୁ ଛାତ୍ରଛାତ୍ରୀ ଆସୁଥିଲେ ମଧ୍ୟ ସେମାନଙ୍କ ତୁଳନାରେ ଭାରତୀୟ ବିଦ୍ୟାର୍ଥୀଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ।

Loading...
>