ମଙ୍ଗଳବାର ସୁଦ୍ଧା ନିର୍ବାଚନ ତାରିଖ ଘୋଷଣା !

ନୂଆଦିଲ୍ଲୀ : ହାଇଭୋଲଟେଜ୍ ଲୋକସଭା ନିର୍ବାଚନ ପାଇଁ ଖୁବଶୀଘ୍ର ତାରିଖ ଘୋଷଣା କରିବାକୁ ଯାଉଛନ୍ତି ନିର୍ବାଚନ କମିଶନ (ଇସି) । ଯେତେଦୂର ସମ୍ଭବ ଚଳିତ ସପ୍ତାହର ଶେଷ କିମ୍ବା ଆସନ୍ତା ସପ୍ତାହ ପ୍ରାରମ୍ଭରେ, ଅତି ବେଶୀରେ ଆସନ୍ତା ୧୨ ତାରିଖ ମଙ୍ଗଳବାର ସୁଦ୍ଧା ଏହା ଘୋଷଣା କରାଯାଇ ପାରେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି । ସପ୍ତଦଶ ଲୋକସଭା ପାଇଁ ନିର୍ବାଚନ କରିବା ନିମନ୍ତେ ଇସି ଇତିମଧ୍ୟରେ ଆବଶ୍ୟକୀୟ ପ୍ରସ୍ତୁତି ଚୂଡ଼ାନ୍ତ କରିସାରିଲେଣି । ଏପ୍ରିଲ ଓ ମେ’ରେ ୭-୮ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବାର ସମ୍ଭାବନା ରହିଛି । ଚଳିତ ଲୋକସଭାର କାର୍ଯ୍ୟକାଳ ଜୁନ୍ ୩ରେ ଶେଷ ହେବାକୁ ଯାଉଛି । ଆଗାମୀ ସାଧାରଣ ନିର୍ବାଚନ ଉପରେ ଦେଶବାସୀଙ୍କ ନଜର ରହିଥିଲା ବେଳେ ସବୁ ରାଜନୈତିକ ଦଳ ଇତିମଧ୍ୟରେ ନିର୍ବାଚନ ରଣାଙ୍ଗନ ପାଇଁ ପ୍ରସ୍ତୁତ ହୋଇଗଲେଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି କ୍ଷମତାକୁ ଫେରିବାକୁ ଲକ୍ଷ୍ୟ ରଖିଥିବାରୁ ତାଙ୍କୁ ଚେକ୍ ଦେବା ପାଇଁ ଏବଂ ବିଜେପିର ପଥରୋଧ କରିବା ଲାଗି ବିରୋଧୀ ଦଳଗୁଡ଼ିକ ଏକଜୁଟ୍ ହେବାକୁ ପ୍ରୟାସ ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ଇସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଯେକୌଣସି ଦିନ ନିର୍ବାଚନ ତାରିଖ ଘୋଷଣା କରାଯିବ । ମାର୍ଚ୍ଚ ଶେଷ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହେବ ଏବଂ ଏଥିପାଇଁ ଏପ୍ରିଲ ପ୍ରାରମ୍ଭରେ ଭୋଟ ଗ୍ରହଣ କରାଯିବ ବୋଲି ଏହି ସୂତ୍ରରୁ ଜଣାପଡ଼ିଛି ।

Loading...
>