ବିଜେଡିର ନିର୍ବାଚନୀ ଇସ୍ତାହାର ଘୋଷଣା : ଜାରି ରହିବ କାଳିଆ ଯୋଜନା

ଭୁବନେଶ୍ୱର: ୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜେପି ଓ କଂଗ୍ରେସର ଇସ୍ତାହାର ଘୋଷଣା ପରେ ମଙ୍ଗଳବାର ଶାସକ ବିଜୁ ଜନତା ଦଳ (ବିଜେଡି) ତା’ର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି । ଇସ୍ତାହାରର ନାମ ରଖାଯାଇଛି “ନବୀନ ଓଡିଶାର ପରିଚୟ’ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଇସ୍ତାହାରକୁ ଉନ୍ମୋଚନ କରିଥିଲେ । ଇସ୍ତାହାରରେ କୃଷି ଓ କୃଷକ, ମହିଳାଙ୍କ ସୁରକ୍ଷା ଓ ଉନ୍ନତି, ଶିକ୍ଷା ଓ ଯୁବବର୍ଗଙ୍କୁ ନିଯୁକ୍ତି ଭଳି ଦିଗକୁ ଅଗ୍ରାଧିକାର ଦିଆଯାଇଛି । କାଳିଆ ଯୋଜନା କଥା ମଧ୍ୟ ଇସ୍ତାହାରରେ ପ୍ରାଥମିକତା ପାଇଛି । ଇସ୍ତାହାରରେ କୁହାଯାଇଛି ଯେ, କୃଷି ଓ କୃଷକଙ୍କ ସ୍ୱାର୍ଥ ଓ ଆବଶ୍ୟକତା ପୂରଣ ଲାଗି ଏକାଧିକ ପଦକ୍ଷେପ ଗ୍ରହଣ କରାଯିବ । ଭୂମିହୀନ ଚାଷୀଙ୍କୁ ବର୍ଷକୁ ୧୨ହଜାର ଟଙ୍କା ମିଳିବ । ଜଳସେଚନ ପାଇଁ ୫୦ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏ କ୍ଷେତ୍ରରେ ଚାଷୀମାନେ ଯେପରି କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ନ ହେବେ, ସେଥିପ୍ରତି ସର୍ବାଧିକ ଧ୍ୟାନ ଦିଆଯିବ । କାଳିଆ ଯୋଜନା ସଂପର୍କରେ ଏଥିରେ କୁହାଯାଇଛି ଯେ, ଦଳ ପୁନର୍ବାର କ୍ଷମତାକୁ ଆସିଲେ ଏହି ଯୋଜନା ଜାରି ରହିବ । ଯୋଜନାର କାର୍ଯ୍ୟକାରିତାର ତଦାରଖ ପାଇଁ କାଳିଆ କମିଶନ ଗଠନ କରାଯିବ । ସେହିପରି ରାଜ୍ୟରେ ଶିଳ୍ପର ବିକାଶ ଏବଂ ଯୁବବର୍ଗଙ୍କ କର୍ମନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଇଛି । ରାଜ୍ୟରେ ହେବାକୁ ଥିବା ଶିଳ୍ପକ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ରହିବ । ସ୍ଥାନୀୟ କୁଶଳୀ ଯୁବକଯୁବତୀଙ୍କ ପାଇଁ ଏଥିରେ ୭୫ ପ୍ରତିଶତ ସଂରକ୍ଷଣ ସୁବିଧା ରଖାଯିବ । ଏହାଦ୍ୱାରା ଯୁବବର୍ଗ ବିଶେଷ ଭାବରେ ଉପକୃତ ହୋଇପାରିବେ । ୧୫ଲକ୍ଷ ଯୁବକଙ୍କୁ ୫ବର୍ଷ ମଧ୍ୟରେ କୁଶଳୀ କରାଯିବ । ମେକ୍ ଇନ୍ ଓଡିଶା ମାଧ୍ୟମରେ ୩୦ଲକ୍ଷ କର୍ମ ନିଯୁକ୍ତି ଯୋଗାଇ ଦିଆଯିବ । ରାଜ୍ୟରେ ପିଲାମାନଙ୍କୁ ଶିକ୍ଷାଋଣ ସରଳ ଓ ସୁବିଧା ପଦ୍ଧତିରେ ଉପଲବ୍ଧ କରାଯିବ । ବିନା ସୁଧରେ ସେମାନଙ୍କୁ ଶିକ୍ଷା ଋଣ ଯୋଗାଇ ଦିଆଯିବ । ଯାହା ଫଳରେ ସେମାନେ ଉଚ୍ଚଶିକ୍ଷା ଲାଭ କରିପାରିବେ ବୋଲି ଏଥିରେ କୁହାଯାଇଛି । ଆଞ୍ଚଳିକ ବୈଷମ୍ୟ ଦୂର ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ରହିବ । ଏହାର କାର୍ଯ୍ୟକୁ ମଧ୍ୟ ନିରକ୍ଷଣ କରାଯିବ ।ବିଶ୍ୱବିଦ୍ୟାଳୟ ଓ କଲେଜଗୁଡିକରେ ମାଗଣାରେ ୱାଇଫାଇ ସେବା ଉପଲବ୍ଧ ହେବ । ଛାତ୍ରଛାତ୍ରୀମାନଙ୍କୁ ଏକଜିବି ଇଣ୍ଟରନେଟ୍ ଡାଟା ଫ୍ରି ସେବା ମିଳିବ । ମହିଳାମାନଙ୍କ ଆର୍ଥିକ ଓ ସାମାଜିକ କ୍ଷେତ୍ରକୁ ଆହୁରି ସୁଦୃଢ ଓ ବିକଶିତ କରାଯିବ । ସେମାନଙ୍କୁ ୫ହଜାର କୋଟି ଟଙ୍କାର ସରକାରୀ କାମ ଯୋଗାଇ ଦିଆଯିବ । ଗରିବ ପରିବାରର ଝିଅପିଲାଙ୍କ ବିବାହ ପାଇଁ ୨୫ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯିବ । ସ୍କିଲ୍ ଇନ୍ ଓଡିଶାକୁ ଗ୍ଲୋବାଲ ବ୍ରାଣ୍ଡ୍ କରାଯିବ ।
ଇସ୍ତାହାର ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ସେ କହିଥିଲେ ଯେ, ୨୦୧୪ ନିର୍ବାଚନରେ ଓଡିଶା ପାଇଁ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ କରିନାହିଁ । ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ପ୍ରଦାନ କରାଯିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ତାହାକୁ ଏପର୍ଯ୍ୟନ୍ତ ପାଳନ କଲାନାହିଁ । ସମସ୍ତେ ପ୍ରତିଶ୍ରୁତି ଦିଅନ୍ତୁ ପାଳନ କରନ୍ତି ନାହିଁ । କିନ୍ତୁ ଆମେ ପ୍ରତିଶ୍ରୁତି ଦେଉ ଏବଂ ପାଳନ ମଧ୍ୟ କରୁ ବୋଲି ସେ କହିଥିଲେ । ଇସ୍ତାହାର ପତ୍ର ଉନ୍ମୋଚନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଭର୍ତ୍ତୃହରି ମହତାବ, ସସ୍ମିତ ପାତ୍ର, ଅମର ପଟ୍ଟନାୟକ ଓ ପ୍ରସନ୍ନ ପାଟଶାଣୀ ଉପସ୍ଥିତ ଥିଲେ । ଇସ୍ତାହାର ପତ୍ରର ଥିମ୍ ରହିଛି “ନବୀନ ଓଡିଶା, ସଶକ୍ତ ଓଡିଶା’ ।

Loading...
>