ହେଲେଇରେ ମହା ଆଡମ୍ବର ସହକାରେ ଦୁର୍ଗାପୂଜା ସଂପନ୍ନ : ସାମାଜିକ ନାଟକ”ଗୁପ୍ତ ସଂପର୍କ’ ମଞ୍ଚସ୍ଥ

ଆଠମଲ୍ଲିକ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କିଆକଟା ପଞ୍ଚାୟତ ଅଧିନସ୍ଥ ହେଲେଇ ଗ୍ରାମରେ ମହାଆଡମ୍ବର ସହକାରେ ଦଶହରା ଓ ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଶନିବାର ଦିନ ସକାଳ ୭ଟା୩୦ ମିନିଟରେ ଗ୍ରାମର ଶତାଧିକ ମହିଳାମାନଙ୍କ ଦ୍ୱାରା ଓଡିଶାର ଗଙ୍ଗା କୁହାଯାଉଥିବା ମହାନଦୀରୁ ଜଳ ଆଣି ପୂଜା ମଣ୍ଡପରେ କଳସ ସ୍ଥାପନ କରାଯାଇଥିଲା । ମଧ୍ୟାହ୍ନରେ ମହାଷ୍ଟମୀ ପୂଜା ହୋଇଥିଲା । ପୂଜାରେ କର୍ତ୍ତା ଭାବେ ଉଗ୍ରେସନ ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ କାର୍ଯ୍ୟ ତୁଲାଇଥିବା ବେଳେ ପୂଜକ ଭାବରେ ମଧୁସୂଦନ ପଣ୍ଡା ପୂଜା କାର୍ଯ୍ୟ କରିଥିଲେ । ପୂଜାମଣ୍ଡପରେ ବିଶେଷ ସହଯୋଗୀ ଭାବରେ ବ୍ରଜବନ୍ଧୁ ବେହେରା ଓ ସୁରେନ୍ଦ୍ର ଜେନା ସାମିଲ ଥିଲେ । ଜଗତଜନନୀ ମା’ଦୁର୍ଗାଙ୍କ ପୂଜା ୪ ଦିନ ବ୍ୟାପି ହୋଇଥିଲା । ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୬ ତାରିଖରେ ଦିନ ନାମ ସଂକୀର୍ତ୍ତନ ହୋଇଥିବା ବେଳେ ୭ ତାରିଖ ଦିନ ତୁଳସୀଦାସକୃତ ରାମଚରିତ ପାରାୟଣ ସୁନ୍ଦରାକାଣ୍ଡ ପଠନ କରାଯାଇଥିଲା । ଏଥିରେ ବ୍ୟାସ ଭାବରେ ରାଜେଶ ଦାସ ଯୋଗ ଦେଇଥିଲେ । ସେହିପରି ୮ ତାରିଖ ତଥା ଦଶହରା ଦିନ ମାଁ ଦଶଭୂଜା ନାଟ୍ୟ ସଂସଦର ସଭ୍ୟମାନଙ୍କ ଦ୍ୱାରା ସାମାଜିକ ନାଟକ”ଗୁପ୍ତ ସଂପର୍କ’ ମଞ୍ଚସ୍ଥ ହୋଇଥିଲା । ନାଟ୍ୟକାର ନବଘନ ରାଉଳଙ୍କ ରଚିତ ଏବଂ ବିଷ୍ଣୁ ପ୍ରସାଦ ପରିଡାଙ୍କ ନିର୍ଦ୍ଦେଶନାରେ ଏହି ନାଟକ ମଞ୍ଚସ୍ଥ ହୋଇଥିଲା । ବିଭିନ୍ନ ଭୂମିକାରେ ଅମରେଶ ପ୍ରଧାନ, ପ୍ରତାପ, ଶାନ୍ତାନୁ, ମାନସ ମଲ୍ଲିକ, ପ୍ରଦୀପ, ବିଶ୍ୱମ୍ବର, ଦଣ୍ଡ ପାଣି, ପ୍ରକାଶ ବିପିନ ଭୋଇ ପ୍ରମୁଖ ଅଭିନୟ କରିଥିଲେ । ସଂଗୀତ ଓ ବାଦ୍ୟଯନ୍ତ୍ର କାର୍ଯ୍ୟ ମାନସ ବେହେରା କରିଥିବା ବେଳେ ମଞ୍ଚ ପରିଚାଳନା ସରୋଜ ପ୍ରଧାନ, ବେଲାର ସାହୁ, ସଂଜୀବ ମହାକୁଳ ପ୍ରମୁଖ ତୁଳାଇଥିଲେ । ୯ ତାରିଖ ଦିନ ମାଆଙ୍କ ମେଲାଣି ଯାତ୍ରା ଅନୁଷ୍ଠିତ ହୋଇଥିଲା ।

Loading...
>