କିଶୋରନଗର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ, କର୍ମଚାରୀ ମିଳିତ ମଞ୍ଚ ତରଫରୁ ବିକ୍ଷୋଭ ଓ ଗଣଧାରଣା

ରାଜକିଶୋରନଗର : କିଶୋରନଗର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାରଦିନ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ତରଫରୁ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୭ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାଯାଇଛି । ସ୍କୁଲ, କଲେଜ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କ ସମସ୍ୟା ଗୁଡିକର ସମାଧାନ ପାଇଁ ବାରମ୍ବାର ଦୃଷ୍ଟିଆକର୍ଷଣ କରିବା ପରେ ମଧ୍ୟ କୈ÷ାଣସି ସୁଫଳ ମିଳୁନଥିବାରୁ ଏହି ଆନ୍ଦୋଳନରେ କିଶୋରନଗର ସ୍ନାତକ ମହାବିଦ୍ୟାଳୟ, ଅଙ୍ଗପଡା ଯୁକ୍ତ ଦୁଇ କନିଷ୍ଠ ମହାବିଦ୍ୟାଳୟ ସମେତ ବ୍ଲକର ଜଏରାଟ, ହିମିତିରା, ଝରାବେରେଣୀ, ସଞ୍ଜାମୁରା, ନତଡା, ଲୁହାମୁଣ୍ଡା ମା’ହିଙ୍ଗୁଳା, କଟରଙ୍ଗା ସତ୍ୟସାଇ, ବଇଣ୍ଡା ମା’ମାହେଶ୍ୱରୀ, ବଡହୁଲା ସ୍ୱପ୍ନେଶ୍ୱର ଜିଉ ଓ ଜାମୁନାଳୀ ବ୍ଲକ ଗ୍ରାଣ୍ଡ ହାଇସ୍କୁଲ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ସାମିଲ୍ ହୋଇଥିଲେ । ଏହି ଅବସରରେ କିଶୋରନଗର ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ କୁମାର ଦାଶଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିବାବେଳେ ମିଳିତ ମଞ୍ଚ ପକ୍ଷରୁ ଶିକ୍ଷକ, କର୍ମଚାରୀମାନଙ୍କର ସମସ୍ୟା ସମାଧାନ ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି କରାଯାଇଥିଲା । ସରକାରଙ୍କ ତରଫରୁ ୨୦୧୭ ସେପ୍ଟେମ୍ବର ୧ ତାରିଖ ଠାରୁ ଓଡିଶାରୁ ବ୍ଲକ ଗ୍ରାଣ୍ଡ ବ୍ୟବସ୍ଥା ଉଚ୍ଛେଦ କରାଯାଇ ଐତିହାସିକ ଅନୁଦାନ ଆଇନ୍ ଲାଗୁହେଲା ବୋଲି ଘୋଷଣା କରାଯାଇଥିବାବେଳେ ଅଦ୍ୟାବଧି ତାହା ମିଳିନଥିବାରୁ ତୁରନ୍ତ ପୂର୍ଣ୍ଣ ଅନୁଦାନ ପ୍ରଦାନ କରାଯିବାକୁ ଦାବି କରାଯାଇଥିଲା । ସେହିଭଳି ୨୦୧୭ ମସିହା ଅଗଷ୍ଟ ୩୧ ତାରିଖରେ ସପ୍ତମବେତନ ୨୦୧୮ ଜୁନ୍ ମାସ ବେଳକୁ ଲାଗୁକରାଯିବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଲାଗୁହୋଇନଥିବାରୁ ତୁରନ୍ତ ଲାଗୁ କରିବା, ୨୦୧୮ ଅପ୍ରେଲ ୧୮ ତାରିଖରୁ ପୂର୍ଣ୍ଣ ଅନୁଦାନ ଲାଗୁକରାଯିବା ନେଇ ଦେଇଥିବା ପ୍ରତିଶ୍ରୁତି ତୁରନ୍ତ କାର୍ଯ୍ୟକାରୀ କରିବାପାଇଁ ଦାବି କରାଯାଇଥିଲା । ଏଥିସହିତ ଶିକ୍ଷକ ଓ କର୍ମଚାରୀ ମାନଙ୍କ ଅବସର ସମୟସୀମା ୬୨ ବର୍ଷକୁ ବୃଦ୍ଧି କରିବା , ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ଲାଗୁ ହୋଇଥିବା ଅନୁକମ୍ପାମୂଳକ ସହାୟତା ରାଶି ଓ ଇଫିଏଫ୍ ଅର୍ଥ ତୁରନ୍ତ ପ୍ରଦାନ କରିବା, ଅଧ୍ୟାପକଙ୍କ ପାଇଁ ଲାଗୁହୋଇଥିବା ରିସାଇନ୍ ଅର୍ଡରକୁ ପ୍ରତ୍ୟାହାର କରିବା, ସରକାର ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ସମସ୍ତ ପ୍ରତିଶ୍ରୁତି ପାଳନ କରିବା ପାଇଁ ମିଳିତ ମଞ୍ଚ ପକ୍ଷରୁ ଦୃଢଦାବି ଉପସ୍ଥାପନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ କିଶୋରନଗର ବ୍ଲକର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କ ତରଫରୁ ୭ଦଫା ଦାବି ପୁରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । କିଶୋରନଗର ଗୋଷ୍ଟୀ ଉନ୍ନୟନ ଅଧିକାରୀ ଅମୃତା ପ୍ରିୟମ୍ବଦା ବିକ୍ଷୋଭକାରିଙ୍କ ନିକଟକୁ ଆସି ସ୍ମାରକପତ୍ର ଗ୍ରହଣ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

Loading...
>