ୟୁନିଫର୍ମରେ ଥାଇ ମଦ ପିଉଥିଲେ, କଲେଜରୁ ବିଦା ହେଲେ ୪ ଛାତ୍ରୀ

ନାଗାପଟ୍ଟିନମ୍ : କଲେଜ ୟୁନିଫର୍ମ ପିନ୍ଧି ମଉଜମସ୍ତି କରିବା ଏବଂ ମଦ୍ୟପାନ କରିବା ୪ଜଣ ଛାତ୍ରୀଙ୍କ ପାଇଁ ମହଙ୍ଗା ପଡିଛି । ଏହି ଛାତ୍ରୀମାନଙ୍କୁ କର୍ତ୍ତୃପକ୍ଷ କଲେଜରୁ ବିଦା କରିଛନ୍ତି । ଘଟଣାଟି ୧୦ଦିନ ତଳେ ଘଟିଥିଲା । ଗତ ୨୪ ତାରିଖରେ ଏହାର ଭିଡିଓ ଭାଇରାଲ ହୋଇଥିଲା । ଏହି ଭିଡିଓ ଚିତ୍ର କଲେଜ କର୍ତ୍ତୃପକ୍ଷଙ୍କ ନଜରକୁ ଆସିବା ପରେ ସେମାନଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଘଟଣାଟି ଏହାପରି ଥିଲା-ନିକଟରେ ଏହି ଚାରି ଛାତ୍ରୀଙ୍କ ମଧ୍ୟରୁ ଜଣଙ୍କର ଜନ୍ମଦିନ ଥିଲା । ସେ ତାଙ୍କ ସାଥୀମାନଙ୍କୁ ଘରକୁ ଡାକି ଏକ ସ୍ୱତନ୍ତ୍ର କଠୋରୀରେ ପୁଅପିଲାଙ୍କ ସହ ମଉଜମସ୍ତି କରିଥିଲେ । ସମସ୍ତେ ଏକାଠି ମିଶି ମଦ୍ୟପାନ କରିବା ସହ ନାଚଗୀତରେ ମାତିଥିଲେ । ସେତେବେଳେ ସେମାନେ ସମସ୍ତେ କଲେଜ ୟୁନିଫର୍ମରେ ଥିଲେ । ଘରଟି କଲେଜରୁ ଅଳ୍ପଦୂରରେ ଅବସ୍ଥିତ । ତେବେ ଏହି ମଉଜମସ୍ତି ସେମାନଙ୍କ ପାଇଁ କାଳ ହେବ ବୋଲି ସେମାନେ ଚିନ୍ତା କରିପାରିନଥିଲେ । କେହିଜଣେ ଏହାର ଭିଡିଓ ରେକର୍ଡିଂ କରି ସୋସିଆଲ ମିଡିଆରେ ଛାଡି ଦେଇଥିଲା । ତାହା ଚାରିଆଡେ ଭାଇରାଲ ହେବା ପରେ ୨୪ ତାରିଖରେ କଲେଜ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆସିଥିଲା । ଏହାପରେ କଲେଜ ଅଧ୍ୟକ୍ଷ ଏହି ଛାତ୍ରୀମାନଙ୍କ ଅଭିଭାବକମାନଙ୍କୁ ଡକାଇ ଏ ସଂପର୍କରେ ପଚରାଉଚରା କରିଥିଲେ । ଏହାପରେ କଲେଜ ୟୁନିଫର୍ମ ପିନ୍ଧି ମଦ୍ୟପାନ କରିଥିବା ଛାତ୍ରୀମାନଙ୍କୁ କର୍ତ୍ତୃପକ୍ଷ ବହିଷ୍କାର କରିଛନ୍ତି । ଏ ସଂପର୍କରେ ଅଧ୍ୟକ୍ଷ କହିଛନ୍ତି ଯେ, ନିଜ ଘରେ କିମ୍ବା ଅନ୍ୟ କେଉଁଠି ହେଲେ ମଧ୍ୟ ୟୁନିଫର୍ମରେ ଥାଇ ସେମାନେ ଏଭଳି କରିଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହାଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପ । ଅନ୍ୟମାନେ ଏଭଳି କାର୍ଯ୍ୟ କରିବାକୁ ସାହାସ କରିବେ ନାହିଁ ବୋଲି ଅଧ୍ୟକ୍ଷ କହିଛନ୍ତି ।

Loading...
>