ବିଶ୍ୱକବି ମହାକୁମ୍ଭରେ ଉପ ରାଷ୍ଟ୍ରପତି

ଭୁବନେଶ୍ୱ: କିଟ୍ ପରିସରରେ ଗତ ୨ ତାରିଖଠାରୁ ଆରମ୍ଭ ହୋଇଥିବା ୩୯ତମ ବିଶ୍ୱ ମହାକୁମ୍ଭର ଉଦଯାପନୀ ଉତ୍ସବରେ ଯୋଗ ଦେଇ ଭାରତୀୟ ମହାମହିମ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କହିଛନ୍ତି ଭାଇଚାରା ସୃଷ୍ଟି ପାଇଁ କବିତା ଏକ ବଳିଷ୍ଠ ମାଧ୍ୟମ । ଏଭଳି ଉତ୍ସବରେ ଯୋଗ ଦେଇ ମୁଁ ନିଜକୁ ଗର୍ବ ଅନୁଭବ କରୁଛି । ମୁଁ କବି ନୁହେଁ ମାତ୍ର ମୋ ହୃଦୟରେ କବିତା ରହିଛି । ଶାନ୍ତିପୂର୍ଣ୍ଣ ବିକାଶ ପାଇଁ ସମାଜର ଆବଶ୍ୟକତା ଢେର୍ ଅଧିକ । କବିତା ଜରିଆରେ ସମାଜରେ ଶାନ୍ତି ପ୍ରତିଷ୍ଠା କରାଯାଇପାରିବ । ମଣିଷର ଭାବାବେଗ ପ୍ରକାଶ କରିବାର ଅନ୍ୟ ଏକ ମାଧ୍ୟମ ହେଉଛି କବିତା । ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ପୁଣି କହିଲେ ମାତୃଭାଷାକୁ ଛାଡି ଆମେ ଆଗକୁ ବଢିପାରିବା ନାହିଁ । ମାତୃଭାଷାର ସମୃଦ୍ଧି କରିବା ପାଇଁ ଅଧିକ ଗୁରୁତ୍ୱ ଦେବା ଉଚିତ୍ । ନିଜ ମାତୃଭାଷାର ବିକାଶ ପାଇଁ ପ୍ରଥମେ ନିଜ ଭାଷାରେ ଲେଖିବା ଜରୁରୀ । ପ୍ରଥମେ ନିଜ ମାତୃଭାଷା ଶିକ୍ଷା କରିବା ପରେ ଅନ୍ୟଭାଷା ଶିକ୍ଷା କରିହେବ । କାରଣ ସବୁ ଭାଷା ସମ୍ମାନୀୟ । ଉପ ରାଷ୍ଟ୍ରପତି ବିଶ୍ୱକବି ମହାକୁମ୍ଭରେ ନିଜର କେଇ ପଦ ଅଭିବ୍ୟକ୍ତିକୁ କହିବା ବେଳେ ଓଡିଆ ଭାଷାରେ କହି ଉତ୍ସବ ସ୍ଥଳକୁ ବିମୋହିତ କରିଥିଲେ ।

ଭାଷା ଓ ଭାଷାର ଯାଦୁରେ ତାଙ୍କର ଅଭିଭାଷଣ ଉପସ୍ଥିତ ଅତିଥି ବୃନ୍ଦଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା । ଉପସ୍ଥିତ ଅତିଥିମାନଙ୍କର ଉତ୍ସାହକୁ ଦେଖି ଭେଙ୍କୟା ପୁଣି କହିଲେ ଆଜିର ସମୟ ପାଇଁ ସତ୍ୟ ଓ ଅହିଂସା ଜରୁରୀ ହୋଇପଡିଛି । ଗାନ୍ଧି ସତ୍ୟ ଓ ଅହିଂସାର ଦୂତ ସାଜି ସମଗ୍ର ବିଶ୍ୱର ହୃଦୟକୁ ଜିତିପାରିଥିଲେ । ସମଗ୍ର ବିଶ୍ୱ ହେଉଛି ଗୋଟିଏ ପରିବାର । ଗୋଟିଏ ସମୟରେ ଭାରତ ଥିଲା ବିଶ୍ୱ ଗୁରୁ । ବିଦେଶରୁ ଛାତ୍ରଛାତ୍ରୀମାନେ ନାଳନ୍ଦା ଆସି ଅଧ୍ୟାୟନ କରୁଥିଲେ । ସାହିତ୍ୟ, କଳା ସଂସ୍କୃତି, ସଂଗୀତ, ନୃତ୍ୟ, ବାଦ୍ୟ ଶିକ୍ଷା ପାଇଁ ଭାରତ ଥିଲା ପ୍ରକୃଷ୍ଠ ପୀଠ । ଏହା ଜୀବନରେ ଶାନ୍ତି ଓ ଖୁସି ଆଣିଥାଏ । ସେଥିପାଇଁ ଭାରତର ଏହି ମହାନ ପରଂପରାରେ ଉଦ୍ବୋଧ ବିଶ୍ୱବାସୀ ସବୁବେଳେ ଭାରତକୁ ସମ୍ମାନ ଦେଇ ଆସିଛନ୍ତି । ଏଥିପାଇଁ ଭାରତର ଯୁବପୀଢି ଆଜି ନିଜର ମାତୃଭାଷାକୁ ଗୁରୁତ୍ୱ ଦେଇ ମୂଲ୍ୟବୋଧକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ କରିବା ଉଚିତ୍ । ଉପରାଷ୍ଟ୍ରପତି ଶ୍ରୀ ନାଇଡୁ କିଟ୍ର କାର୍ଯ୍ୟକ୍ରମ ପରେ କଟକ ଯାତ୍ରା କରିଥିଲେ । ସେଠାରେ ଓଡିଶାର ସର୍ବବୃହତ ଦୈନିକ ଖବରକାଗଜ “ସମାଜ’ର ଶତବାର୍ଷିକୀ ସମାରୋହରେ ସାମିଲ ହୋଇଥିଲେ । ସେଠାରେ ସମ୍ବୋଧନ କରିବା ପରେ ସେ ଅପରାହ୍ନ ସାଢେ ୫ଟା ୫୦ ମିନିଟରେ ଭୁବନେଶ୍ୱରରୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

Loading...
>