ବାଘୁଣୀ ଭୟ : ସ୍କୁଲ୍ ଖୋଲା, ପଢ଼ା ବନ୍ଦ

ତୃତୀୟ ଦିନରେ ବି ବିଫଳ ହୋଇଛି ‘ସୁନ୍ଦରୀ’ ବନ୍ଦୀ ଅଭିଯାନ। ଜଙ୍ଗଲରେ ଦୀର୍ଘ ୭୨ଘଣ୍ଟାର କସରତ ପରେ ବି ଓଡ଼ିଶାର ନାମୀ ଟ୍ରାଙ୍କୁଲାଇଜ ବିଶେଷଜ୍ଞଙ୍କୁ କାଣିଚାଏ ସଫଳତା ମିଳି ପାରିନାହିଁ। ବରଂ ସବୁ ପ୍ରକାର ଫନ୍ଦୀକୁ ପାର୍ କରିଛି ଧୂର୍ତ୍ତ ବାଘୁଣୀ। ଓଡ଼ିଶା ଟିମର ବିଫଳତା ପରେ ଅଭିଜ୍ଞ ଓ ଦକ୍ଷ ଟ୍ରାଙ୍କୁଲାଇଜ୍ ଟିମ୍ ପଠାଇବାକୁ ମଧ୍ୟପ୍ରଦେଶକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର। ‘କାହ୍ନା’ ଓ ପେଞ୍ଚ ବ୍ୟାଘ୍ର ପ୍ରକଳ୍ପରୁ ଟ୍ରାଙ୍କୁଲାଇଜ୍ ବିଶେଷଜ୍ଞଙ୍କୁ ପଠାଇବାକୁ ମଧ୍ୟପ୍ରଦେଶ ସରକାର ବି ରାଜି ହୋଇଥିବା ସାତକୋଶିଆ କ୍ଷେତ୍ର ନିଦେର୍ଶକ ତଥା ଅତିରିକ୍ତ ପିସିସିଏଫ୍ ଡ. ସୁଦର୍ଶନ ପଣ୍ଡା ଗଣମାଧ୍ୟମକୁ ଗତକାଲି କହିଛନ୍ତି। ଅଳ୍ପ ଦିନରେ ରାଜ୍ୟ ବାହାର ଟିମ୍ ସାତକୋଶିଆରେ ପହଞ୍ଚିବେ ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଦଶହରା ଛୁଟି ପରେ ଗତକାଲି ସବୁ ସ୍କୁଲ୍ ଖୋଲା ଯାଇଥିଲେ ହେଁ ଟାଇଁସି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ପାଠ ପଢ଼ିବାକୁ ଛାଡ଼ି ନାହାନ୍ତି। ସେହିପରି ବାଘମୁଣ୍ଡା ଆଶ୍ରମ ସ୍କୁଲ୍ ଓ ପ୍ରାଥମିକ ସ୍କୁଲକୁ ଯଦିଓ ଶିକ୍ଷକମାନେ ଆସିଥିଲେ, କିନ୍ତୁ ଅେନକ ପିଲା ଅନୁପସ୍ଥିତ ଥିଲେ। ଛୋଟକେଇ ଓ ନୂଆପଡ଼ା ଆଶ୍ରମ ସ୍କୁଲ୍ ଜଙ୍ଗଲ ପାଖରେ ରହିଥିବା ବେଳେ ପିଲାମାନେ କେମିତି ପାଠ ପଢ଼ିବେ ସେହି ଚିନ୍ତା ଅଭିଭାବକଙ୍କୁ ଘାରିଛି।

Loading...
>