ଏଣିକି ୨୪ ସପ୍ତାହ ମଧ୍ୟରେ କରିହେବ ଗର୍ଭ ନଷ୍ଟ

ନୂଆଦିଲ୍ଲୀ : ଏଣିକି ମହିଳାମାନେ ୨୦ ବଦଳରେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବେ । ଗର୍ଭପାତ କରିବାର ସମୟସୀମା ସଂକ୍ରାନ୍ତ ଏକ ବିଲ୍‌କୁ ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିଥିବାରୁ ମହିଳାମାନଙ୍କୁ ଏଭଳି ସୁବିଧା ମିଳିପାରିବ । କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଏହି ୨୪ ସପ୍ତାହର ସମୟସୀମା କେବଳ ବିଶେଷ କ୍ଷେତ୍ରରେ ଲାଗୁ ହେବ । ଦୁଷ୍କର୍ମ ପୀଡ଼ିତା, ରୋଗାଗ୍ରସ୍ତ ମହିଳା ଓ ଅବାଞ୍ଛିତ ଗର୍ଭଧାରଣକୁ ନଷ୍ଟ କରିବା ପାଇଁ ସଂଶୋଧନ ବିଲ୍‌ରେ ବ୍ୟବସ୍ଥା ରହିଛି । ଏହି ବିଲ୍‌କୁ ସଂସଦର ଆଗାମୀ ବଜେଟ୍ ଅଧିବେଶନରେ ଉପସ୍ଥାପନ କରାଯିବ । ମେଡ଼ିକାଲ୍ ଟର୍ମିନେସନ୍ ଅଫ୍ ପ୍ରେଗନାନ୍ସି ସଂଶୋଧନ ବିଲ୍‌-୨୦୨୦କୁ ଆଜି ବୈଠକରେ ଉପସ୍ଥାପନ କରାଯାଇଥିଲା । ଏହା ଉପରେ ବ୍ୟାପକ ଚର୍ଚ୍ଚା ପରେ ଏଥିରେ କ୍ୟାବିନେଟ୍ ମୋହର ଲାଗିଥିଲା । ୧୯୭୧ ମସିହାର ମେଡ଼ିକାଲ୍ ଟର୍ମିନେସନ ଅଫ୍ ପ୍ରେଗନାନ୍ସି ଆଇନ୍‌ରେ ସଂଶୋଧନ ଆଣିବା ପାଇଁ ଏହି ବିଲ୍ ଅଣାଯାଇଛି । ଏହାଦ୍ୱାରା ବିଶେଷ ବର୍ଗର ମହିଳାମାନେ ଉପକୃତ ହେବେ । ବିଲ୍‌ରେ ଥିବା ବ୍ୟବସ୍ଥା ଅନୁଯାୟୀ ୨୪ ସପ୍ତାହ ମଧ୍ୟରେ ମହିଳାମାନେ ଗର୍ଭପାତ କରିପାରିବେ । ତେବେ ଏହା ପୂର୍ବରୁ ଦୁଇଜଣ ଡାକ୍ତରଙ୍କ ଅନୁମତି ନେବାକୁ ପଡ଼ିବ । ଏହି ଦୁଇ ଡାକ୍ତରଙ୍କ ମଧ୍ୟରେ ଜଣେ ସରକାରୀ ହସ୍ପିଟାଲର ଡାକ୍ତର ହୋଇଥିବେ । ପୂର୍ବରୁ ଥିବା ବ୍ୟବସ୍ଥା ଅନୁଯାୟୀ ୨୦ ସପ୍ତାହ ମଧ୍ୟରେ ଗର୍ଭପାତ ପାଇଁ ଅନୁମତି ମିଳୁଥିଲା । ତେବେ ୨୦ ସପ୍ତାହ ମଧ୍ୟରେ ଗର୍ଭପାତ କରିବା ସମୟରେ ଦେଖିବାକୁ ମିଳିଛି ଯେ, ଗର୍ଭବତୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି । ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କଲେ ଏହା ସୁରକ୍ଷିତ ହୋଇପାରିବ । ତେଣୁ ଗର୍ଭପାତର ଅବଧିକୁ ଏହି ସଂଶୋଧନ ବିଲ୍ ଜରିଆରେ ବୃଦ୍ଧି କରାଯାଇଛି । ଏହି ସଂଶୋଧିତ ବିଲ୍‌ଦ୍ୱାରା ଦୁଷ୍କର୍ମ ପୀଡ଼ିତା ଓ ନାବାଳିକା ଗର୍ଭବତୀଙ୍କୁ ଉପଯୁକ୍ତ ନ୍ୟାୟ ମିଳିପାରିବ । ଅନେକ ସମୟରେ ଗର୍ଭପାତ ପରେ ଜଣେ ମହିଳା ଆଉ ମା\’ ହୋଇପାରୁ ନାହାଁନ୍ତି । କିନ୍ତୁ ଏବେ ଆଉ ସେହି ବିପଦ ରହିବ ନାହିଁ ।

Loading...
>