ହିଂସା ସମାଧାନର ମାର୍ଗ ନୁହେଁ: ମୋଦି

ନୂଆଦିଲ୍ଲୀ: ଯେକୌଣସି ସମସ୍ୟାର ସମାଧାନ ପାଇଁ ବିଭିନ୍ନ ମାର୍ଗ ରହିଛି । କିନ୍ତୁ କେତେକ ଗୋଷ୍ଠୀ କିମ୍ବା ବ୍ୟକ୍ତିବିଶେଷ ସମାଧାନ ପାଇଁ ହିଂସାକୁ ପ୍ରଶ୍ରୟ ଦେଉଛନ୍ତି । ସେମାନେ ଜାଣି ରଖିବା ଉଚିତ୍ ଯେ, ହିଂସା କେବେବି କୌଣସି ସମସ୍ୟାର ସମାଧାନ ମାର୍ଗ ନୁହେଁ । ହିଂସା ସମାଧାନ କରିବା ପରିବର୍ତ୍ତେ ପରିସ୍ଥିତିକୁ ଅଧିକ ଗୁରୁତର କରାଇଥାଏ । ତେଣୁ ହିଂସା ପରିବର୍ତ୍ତେ ଶାନ୍ତି ଓ ସୌହାର୍ଦ୍ଦ୍ୟକୁ ସମସ୍ତେ ଆପଣାଇବା ଉଚିତ୍ ବୋଲି ମୋଦି କହିଛନ୍ତି । ସେ କହିଛନ୍ତି ଯେ, ହିଂସାର ମାର୍ଗ ବାଛିଥିବା ଲୋକଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ଲାଗି ସରକାର ଉଦ୍ୟମ କରୁଛନ୍ତି । ଲୋକମାନଙ୍କର ବିଶ୍ୱାସ ରହିବା ଉଚିତ୍ ଯେ, ସମାଧାନ ପାଇଁ ଭଲ ମାର୍ଗ ଓ କ୍ଷମତା ମଧ୍ୟ ରହିଛି । ତାହାକୁ ଲୋକମାନେ ଆପଣାଇବା ଦରକାର । ଏବେ ଏକ ନୂଆ ଭାରତ ଗଠନ କରିବାର ସମୟ ଆସିଛି । ଏହି ନୂଆ ଭାରତରେ ଶାନ୍ତି ହିଁ ସବୁଠୁ ପ୍ରାଧାନ୍ୟ ବିସ୍ତାର କରିବ । ଶାନ୍ତି ଉପାୟରେ ଅନେକ ସମସ୍ୟାର ସମାଧାନ କରାଯାଇପାରିବ । ଦେଶରେ ଏଭଳି କେତେକ ଘଟଣା ମଧ୍ୟ ଘଟୁଛି ତାହା ଆଶ୍ଚର୍ଯ୍ୟଜନକ । ବହୁ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆସାମରେ ଆଠୋଟି ନିଷିଦ୍ଧ ସଂଗଠନର ୬୪୪ଜଣ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି । ଏହା ଏକ ଛୋଟିଆ କଥା ନୁହେଁ । ଏହା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ଘଟଣା । ଯେଉଁ ଲୋକମାନେ ଦିନେ ହିଂସା ଓ ମାସବାଦକୁ ଆପଣାଇଥିଲେ, ସେମାନେ ଏବେ ଶାନ୍ତି ମାର୍ଗକୁ ଆପଣାଇଛନ୍ତି । ଆସାମରେ ଗୋଟିଏ ସମୟରେ ୬୪୪ଜଣ ଆତଙ୍କବାଦୀ ଆତ୍ମସମର୍ପଣ କରି ଶାନ୍ତି ମାର୍ଗକୁ ଫେରି ଆସିବା ଏକ ମହାନ୍ ଘଟଣା ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

Loading...
>