ଆଗକୁ ଆସୁଛି ହକି ବିଶ୍ୱକପ୍‌, କମିଶନରେଟ ପୋଲିସର ସୁରକ୍ଷା ଚିନ୍ତା

ଭୁବନେଶ୍ୱର :- ଆଗକୁ ଆସୁଛି ହକି ବିଶ୍ୱକପ୍‌। ଭୁବେନେଶ୍ୱରକୁ ବିଭିନ୍ନ ଦେଶର ଖେଳାଳି ଓ ଖେଳପ୍ରେମୀ ଏଠାକୁ ଆସିବେ। ତେଣୁ ରାଜଧାନୀରେ ଲୋକଙ୍କ ଗହଳି ବଢ଼ିବା ସହ ଟ୍ରାଫିକ୍‌ ସମସ୍ୟା ଉପୁଜିବ। ଏଭଳି ଆଶଙ୍କାକୁ ନେଇ କମିଶନରେଟ ପୋଲିସର ଚିନ୍ତା ବଢ଼ିଛି। ହକି ବିଶ୍ୱକପ୍‌ ସମୟରେ ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଥିବାରୁ ମୁକାବିଲା ପାଇଁ ଏବେଠୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ସମସ୍ୟାର ସମାଧାନ ପାଇଁ ଡ୍ରୋନ୍‌ର ସାହାରା ନେବାକୁ ଯୋଜନା ରହିଥିବା ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି କହିଛନ୍ତି।  ସେ କହିଛନ୍ତି, ଏଥିପାଇଁ  ଗୋଟିଏ ହାଇଟେକ୍ନୋଲୋଜି ଡ୍ରୋନ୍‌ ଅଣାଯିବ। ଏହି ଡ୍ରୋନ୍‌ ଆକାଶ ମାର୍ଗରୁ ଷ୍ଟାଡିୟମ୍‌ ଓ ଏହାର ଆଖପାଖ ଅଞ୍ଚଳ ଉପରେ ନଜର ରଖିବ। ଗହଳି ଓ ଟ୍ରାଫିକ୍‌  ସ୍ଥାନର ଚିତ୍ର ଉତ୍ତୋଳନ କରି ସଙ୍ଗେ ସଙ୍ଗେ କଣ୍ଟ୍ରୋଲ ରୁମ୍‌କୁ ପଠାଇବ। ତୁରନ୍ତ ପୋଲିସ ଅଧିକାରୀମାନେ ସେଠାରେ ପହଞ୍ଚତ୍ ସ୍ଥିତି ନିୟନ୍ତ୍ରଣ କରିବେ।  ସେହିଭଳି ଡ୍ରୋନ୍‌ ଦ୍ୱାରା ଆକାଶମାର୍ଗରୁ ଷ୍ଟାଡିୟମ୍‌ ଭିତରେ ଥିବା ଲୋକଙ୍କ ଉପରେ ମଧ୍ୟ ନଜର ରଖିବ। କଣ୍ଟ୍ରୋଲରୁମ୍‌ରେ ଉପସ୍ଥିତ ଅଧିକାରୀ ଓ କର୍ମଚାରୀ  ଷ୍ଟାଡିୟମ ସୁରକ୍ଷା ଉପରେ ଟିକିନିଖି ରିପୋର୍ଟ ପାଇପାରିବେ। ଏହି ଆଧାରରେ ଦର୍ଶକଙ୍କ ବିଶୃଙ୍ଖଳାକୁ ଏଡାଇଦେଇ ହେବ।  ଅନ୍ୟପକ୍ଷରେ ଷ୍ଟାଡିୟମ୍‌ ଆଖପାଖରେ ଅସାମାଜିକ ଯୁବକମାନେ ଅନେକ ସମୟରେ ଆଡ୍ଡା ଜମାଉଥିବା ଦେଖିବାକୁ ମିଳୁଛି। ସେମାନଙ୍କ ସାବାଡ୍‌ କରିବା ପାଇଁ ଡ୍ରୋନ୍‌ର ସହାୟତ ନିଆଯିବ ବୋଲି ଜଣାପଡିଛି।  ହକି ବିଶ୍ୱକପ୍‌ ଶେଷ ହେବା ପରେ ମଧ୍ୟ ଏହି ଡ୍ରୋନକୁ କମିଶନରେଟ୍‌ ପୋଲିସ ଭୁବନେଶ୍ୱରରେ ରଖିବ। ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ସମ୍ଭାବନା ଥିବା ସ୍ଥାନ, ବିକ୍ଷୋଭ ସ୍ଥଳ ଓ ବିଧାନସଭା ନିକଟବର୍ତ୍ତୀ ଅଞ୍ଚଳରେ ରେ ଏହି ଡ୍ରୋନକୁ ବ୍ୟବହାର କରାଯିବ।  ଏଥିସହ ରାଜଧାନୀର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ମଧ୍ୟ ଏହି ଡ୍ରେନ ବୁଲିବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ପୂର୍ବରୁ ପୋଲିସ ଡିଜି ଡ୍ରୋନ୍‌ ସଂକ୍ରାନ୍ତରେ ସୂଚନା ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ଆସିବାକୁ ଥିବା ଦୁଇଟି ଡ୍ରୋନ ଆସିବ। ଗୋଟିଏର ମୂଲ୍ୟ ୧୫ଲକ୍ଷ ଟଙ୍କା ହେବ। ଏଥିମଧ୍ୟରୁ ଗୋଟିଏ ଗୁରୁପ୍ରିୟା ସେତୁ ଉପରେ ପଇଁତରା ମାରିବା ସହ ଅନ୍ୟଟି ରାଜଧାନୀରେ ରହିବ। ରାଜଧାନୀରେ ରହିବାକୁ ଥିବା ଡ୍ରୋନ୍‌କୁ ପ୍ରଥମେ ହକି ବିଶ୍ୱକପ୍‌ ସମୟରେ ବ୍ୟବହାର କରାଯିବ।
ଏନେଇ ପୋଲିସ କମିଶନର ମହାନ୍ତି କହିଛନ୍ତି, ହକି ବିଶ୍ୱକପ୍‌କୁ ନଜରରେ ରଖି ଷ୍ଟାଡିୟମ୍‌ର ସୁରକ୍ଷାକୁ ବଢାଇ ଦିଆଯାଇଛି। ଷ୍ଟାଡିୟମ୍‌ ଚାରିପଟରେ ଏକାଧିକ ସିସିଟିଭି ଲାଗିଲେ ମଧ୍ୟ ଟ୍ରାଫିକ ଓ ଗହଳି ପାଇଁ ଆମେ ଡ୍ରୋନର ସାହାରା ନେବାକୁ ଯାଉଛୁ। ଏହି ଡ୍ରୋନ ହାଇଟେକ୍‌ ଟେକ୍ନୋଲୋଜିରେ ନିର୍ମିତ ହୋଇଥିବାରୁ  ଆକାଶମାର୍ଗରୁ  ପୂରା ସ୍ପଷ୍ଟ ଚିତ୍ର କଣ୍ଟ୍ରୋଲ ରୁମ୍‌କୁ ପଠାଇ ପାରିବ।  ଏହି ଡ୍ରୋନ୍‌ କମିଶନରେଟ୍‌ ପୋଲିସ ମୁଖ୍ୟାଳୟ କଣ୍ଟ୍ରୋଲ ରୁମ୍‌ରେ ରହିବ।  ଆବଶ୍ୟକ ସମୟରେ ବ୍ୟବହାର କରାଯିବ ବୋଲି ସେ କହିଛନ୍ତି।
Loading...
>