ଆଉ କାମକରୁନି ମୋଦି-ଶାହ ମ୍ୟାଜିକ୍

କୋଲକତା : ଗୋଟିଏ ସମୟ ଥିଲା ଯେତେବେଳେ ଅଧିକାଂଶ ରାଜନୈତିକ ଅବସରରେ ମୋଦି-ଶାହ ମ୍ୟାଜିକ୍ ଚମକ୍ରାରିତା ଦେଖାଉଥିଲା । ପ୍ରତିଦ୍ୱନ୍ଦୀ ରାଜନୈତିକ ଦଳଗୁଡିକ ଯେତେ ଚେଷ୍ଟା କଲେ ମଧ୍ୟ ଏହି ଯୋଡିଙ୍କ ରଣନୀତିକୁ ପ୍ରତିହତ କରିପାରୁନଥିଲେ । କିନ୍ତୁ ଗତ କିଛି ମାସର କେତୋଟି ଘଟଣାରୁ ପ୍ରମାଣିତ ହୋଇଯାଇଛି ଯେ, ମୋଦି-ଶାହ ଯାଦୁ ଆଉ କାମକରୁନି । ଏହାର ଦୁଇଟି ଉଦାହରଣ ହେଉଛି ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗର ଘଟଣା ପ୍ରବାହ । ଅକ୍ଟୋବର ୨୪ରୁ ନଭେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ଯେଉଁ ଘଟଣା ଘଟିଗଲା ସେଥିରୁ ମୋଦି ଓ ଶାହଙ୍କ ରଣନୀତି ଆଉ ପ୍ରଭାବିତ କଲା ଭଳି ସ୍ଥିତିରେ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି । ଏହି ଦୁଇ ନେତାଙ୍କୁ ଶତ୍ରୁର ମୁକାବିଲା ପାଇଁ ଏକ ସଫଳ ଯୋଡି ଭାବେ ବିବେଚନା କରାଯାଇଥାଏ । କିନ୍ତୁ ସମସ୍ତ ପ୍ରଚେଷ୍ଟା ସତ୍ତେ୍ୱ ମହାରାଷ୍ଟ୍ରରେ ସେମାନଙ୍କର ଚାଲାକୀ ଆଉ କାମ କଲା ନାହିଁ । ଯାହା ଫଳରେ ଶେଷରେ ମହା ବିକାଶ ଅଘାଡି ବା ଶିବସେନା-ଏନ୍ସିପି-କଂଗ୍ରେସ ମେଣ୍ଟ ସେମାନଙ୍କର ଉଦ୍ୟମରେ ସଫଳ ହେଲେ । ସେହିପରି ଗତ କିଛିଦିନ ଭିତରେ ପଶ୍ଚିମବଙ୍ଗରେ କେତୋଟି ଉପ ନିର୍ବାଚନ ହୋଇଯାଇଛି । ପଶ୍ଚିମବଙ୍ଗରେ ବିଜେପି ତା\’ର ଉପସ୍ଥିତିକୁ ସୁଦୃଢ କରିବା ଲାଗି ଲୋକସଭା ନିର୍ବାଚନ ସମୟରୁ ଉଦ୍ୟମ କରିଆସୁଛି । କିନ୍ତୁ ମମତା ବାନାର୍ଜୀଙ୍କ ଲୋକପ୍ରିୟତା ଏବେବି ସୁଦୃଢ ରହିଛି । ଉପ ନିର୍ବାଚନରେ ସଫଳତା ପାଇଁ ମୋଦି ଓ ଶାହ ଯୋଡି ସେମାନଙ୍କର ରଣନୀତିକୁ ପ୍ରୟୋଗ କରିଥିଲେ । କିନ୍ତୁ ଲୋକେ ତାହାକୁ ଗ୍ରହଣ କଲେ ନାହିଁ । ପଶ୍ଚିମବଙ୍ଗରେ ଏହି ଯୋଡିଙ୍କ ମ୍ୟାଜିକ ଯେ, କାମ କରିବ ନାହିଁ ତାହା ଉପ ନିର୍ବାଚନ ଫଳାଫଳରୁ ପ୍ରମାଣିତ ହୋଇଯାଇଛି । ନିର୍ବାଚନରେ ମମତାଙ୍କ ତୃଣମୂଳ କଂଗ୍ରେସ ପୂର୍ବଭଳି ଉଲ୍ଲେଖନୀୟ ସଫଳତା ପାଇଛି । ଲୋକସଭା ନିର୍ବାଚନରେ ଯଦିଓ ବିଜେପିକୁ ସନ୍ତୋଷଜନକ ଆସନ ମିଳିଥିଲା, ସେ ଦୃଷ୍ଟିରୁ ଉପ ନିର୍ବାଚନରେ ମୂଳପୋଛ କରିବା ନେଇ ବିଜେପି ଦୃଢ ଆଶାବାଦୀ ଥିଲା । ସାଧାରଣତଃ ଉପ ନିର୍ବାଚନ ଗୁଡିକରେ ଶାସକ ଦଳଗୁଡିକ ସଫଳ ହୋଇଥାନ୍ତି । ଏହାର ଏକାଧିକ ଉଦାହରଣ ରହିଛି । ପଶ୍ଚିମବଙ୍ଗରେ ଉପ ନିର୍ବାଚନରେ ମମତା ବାନାର୍ଜୀଙ୍କୁ ଉପଦସ୍ତ ଓ ପ୍ରତିହତ କରିବା ପାଇଁ ମୋଦି-ଶାହ ଯୋଡି ଯେଉଁ ଗୋଟିଚାଳନା କରିଥିଲେ, ତାହା ସଂପୂର୍ଣ୍ଣ ବ୍ୟର୍ଥ ହୋଇଯାଇଛି । କେବଳ ପଶ୍ଚିମବଙ୍ଗ ନୁହେଁ, ଆଉ କେତେକ ରାଜ୍ୟରେ ମଧ୍ୟ ବିଜେପିକୁ ଏଭଳି ଅବସ୍ଥାର ସମ୍ମୁଖୀନ ହେବାକୁ ପଡିଛି । ଧୀରେ ଧୀରେ ମହାରାଷ୍ଟ୍ରରେ ମଧ୍ୟ ବିଜେପିର ଲୋକପ୍ରିୟତା ନଗଣ୍ୟ ସ୍ତରକୁ ଚାଲି ଆସିବାର ଆଶଙ୍କା ମଧ୍ୟ କରାଗଲାଣି ।

Loading...
>