ଆଇପିଏଲ-୧୩ : ଦିଲ୍ଲୀରେ ଅଶ୍ୱିନ, ପଞ୍ଜାବରେ ସୁଚିତ୍

ନୂଆଦିଲ୍ଲୀ: ଆଇପିଏଲ୍ର ଆଗାମୀ ତ୍ରୟୋଦଶ ସଂସ୍କରଣ ପାଇଁ କିଙ୍ଗ୍ସ ଏକାଦଶ ପଞ୍ଜାବ ଅଧିନାୟକ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ସହ ବଦଳ କରିଥିବା ବେଳେ ତାଙ୍କ ସ୍ଥାନରେ ଜଗଦୀଶ ସୁଚିତଙ୍କୁ ନିଜ ଦଳରେ ସ୍ଥାନ ଦେଇଛି । ଦିଲ୍ଲୀ ଅଶ୍ୱିନଙ୍କୁ ନିଜ ଦଳରେ ସାମିଲ୍ କରିବା ସକାଶେ କର୍ଣ୍ଣାଟକ ସ୍ପିନର୍ ସୁଚିତଙ୍କୁ ଛାଡ଼ିବା ସହ ଦେଢ଼ କୋଟି ଟଙ୍କା ଦେଇଛି । ଏହାଛଡ଼ା ଅଶ୍ୱିନଙ୍କ ବଦଳରେ ପଞ୍ଜାବ ଆଉ ଜଣେ ଖେଳାଳି ନ୍ୟୁଜିଲାଣ୍ଡ୍ ପେସର୍ ଟ୍ରେଣ୍ଟ୍ ବୋଲ୍ଟଙ୍କୁ ସାମିଲ୍ କରିବା ସକାଶେ ସର୍ତ୍ତ ରଖିଛି । ଅଶ୍ୱିନ୍ଙ୍କ ବାବଦରେ ଦିଲ୍ଲୀକୁ ସର୍ବମୋଟ ୭.୬ କୋଟି ଟଙ୍କା ଦେବାକୁ ପଡ଼ିବ । ଅବଶ୍ୟ ଏହି ସର୍ତ୍ତକୁ ଅଦ୍ୟାବଧି ଦିଲ୍ଲୀ ଦଳ ଗ୍ରହଣ କରିନାହିଁ । ଏହି ଡିଲରେ ଦିଲ୍ଲୀ କ୍ୟାପିଟାଲ୍ସ ସହ ଅଶ୍ୱିନ୍ ଓ ଆମେ ବେଶ୍ ସନ୍ତୁଷ୍ଟ ବୋଲି ପଞ୍ଜାବ ଦଳର ଅନ୍ୟତମ ମାଲିକ ନେସ୍ ୱାଡିଆ କହିଛନ୍ତି । ସୂଚନାଯୋଗ୍ୟ ଯେ ଆଗାମୀ ସଂସ୍କରଣ ପାଇଁ ଫ୍ରାଞ୍ଚାଇଜମାନେ ନଭେମ୍ବର ୧୪ ତାରିଖ ସୁଦ୍ଧା ଖେଳାଳି ଅଦଳବଦଳ କରିବାର ସୁଯୋଗ ପାଇବେ । ପଞ୍ଜାବ ଦଳର ଅଧିନାୟକ ଭାବେ ଅଶ୍ୱିନ୍ ଗତ ଦୁଇଟି ସିଜନରେ ମିଶ୍ରିତ ସଫଳତା ପାଇଛନ୍ତି । ତାଙ୍କ ନେତୃତ୍ୱରେ ଦଳ ଗତ ୨୦୧୮ରେ ସପ୍ତମ ସ୍ଥାନରେ ରହିଥିବା ବେଳେ ଗତ ସଂସ୍କରଣରେ ଷଷ୍ଠ ସ୍ଥାନରେ ରହିଥିଲା ।

Loading...
>