୨୦୨୪ ସୁଦ୍ଧା ଗ୍ରାମାଂଚଳର ସମସ୍ତଙ୍କ ଘରେ ପାଣି ଟ୍ୟାପ୍‌

ଭୁବନେଶ୍ୱର: ଆସନ୍ତା ୨୦୨୪ ସୁଦ୍ଧା ଗ୍ରାମାଂଚଳର ପ୍ରତ୍ୟେକଙ୍କ ଘରେ ପାଣି ଟ୍ୟାପ୍ ଲାଗିବ । ଫଳରେ ଲୋକଙ୍କୁ ଆଉ ଘର ବାହାରକୁ ଆସି ନଳକୂପ କିମ୍ବା ରାସ୍ତାକଡରେ ଥିବା ଟ୍ୟାପରୁ ପାଣି ସଂଗ୍ରହ କରିବାକୁ ପଡିବାନାହିଁ । ଜଳଯୋଗାଣ ପାଇପ୍ ସେମାନଙ୍କ ଘର ଭିତରେ ଲାଗିବ । ରାଜ୍ୟ ସରକାରଙ୍କ ଏହି ବହୁ ଆଙ୍କାକ୍ଷିତ ଯୋଜନାକୁ ବାସ୍ତବ ରୂପ ଦେବାପାଇଁ ଜିଲ୍ଲା ସ୍ତରରେ ଗ୍ରାମାଂଚଳ ଜଳଯୋଗାଣର କି ସ୍ଥିତି ରହିଛି ଚଳିତମାସ ଶେଷ ସୁଦ୍ଧା ସେ ସଂକ୍ରାନ୍ତରେ ବିସ୍ତୃତ ରିପୋର୍ଟ ପ୍ରଦାନ ଲାଗି ଯନ୍ତ୍ରୀମାନଙ୍କୁ କୁହାଯାଇଛି ।
ଗ୍ରାମାଂଚଳରେ ବିଶୁଦ୍ଧ ପାନୀଳଜଳ ଯୋଗାଣ ନେଇ ରାଜ୍ୟ ପଂଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନ ଠାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରୁ ଏହି ସୂଚନା ମିଳିଛି । ବୈଠକରେ ପଂଚାୟତିରାଜ ବିଭାଗର ପ୍ରମୁଖ ସଚିବ ଦେଓରଞ୍ଜନ କୁମାର ସିଂହ, ପାନୀୟଜଳ ନିର୍ଦ୍ଦେଶିକା ରୂପା ମିଶ୍ର, ଯନ୍ତ୍ରୀ ମୁଖ୍ୟ ରବିନ୍ଦ୍ର କୁମାର ନାୟକ, ମୁଖ୍ୟଯନ୍ତ୍ରୀ ଅଭୟ କୁମାର ବିଶ୍ୱାଳ ଓ ବିଭାଗର ଅତିରିକ୍ତ ସଚିବ ଏସ.ଏନ.ଦାଶଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ ।
ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଗାଁ ଗହଳର ଲୋକଙ୍କ ଘରେ ପାଣି ଟ୍ୟାପ ସ୍ଥାପନ ପୂର୍ବରୁ ସେହିସବୁ ଅଂଚଳରେ ଥିବା ପାରମ୍ପରିକ ଜଳ ଯୋଗାଣ ବ୍ୟବସ୍ଥାର ସବିଶେଷ ବିବରଣୀ ସଂଗ୍ରହ କରାଯାଉଛି । ପାଇପ୍ ଯୋଗେ ପାନୀୟଜଳ ଯୋଗାଣ ସହିତ ନଳକୂପ, ଗଭୀର କୂପ ଆଦିରୁ ଯୋଗାଯାଉଥିବା ଜଳର ତାଲିକା ମିଳିବାପରେ ସେହିସବୁ ସ୍ଥାନରେ ଲୋକଙ୍କ ଆବଶ୍ୟକତାକୁ ଚାହିଁ କିଭଳି ସେମାନଙ୍କ ଘରେ ଜଳ ପହଂଚିବ ସେ ସଂକ୍ରାନ୍ତରେ କାର୍ଯ୍ୟଯୋଜନା ଚୂଡାନ୍ତ ହେବ । ଇତି ମଧ୍ୟରେ ଚାରିଟି ଜିଲ୍ଲାରେ ଏହି ଯୋଜନା ଚୂଡାନ୍ତ ହୋଇସାରିଛି । ସେହିସବୁ ଜିଲ୍ଲା ଗୁଡିକ ହେଲା ଝାରସୁଗୁଡା, କେନ୍ଦୁଝର, ଅନୁଗୁଳ ଓ ନୂଆପଡା ।

ତେବେ ପୂର୍ବରୁ ପାନୀୟଜଳ ଯୋଗାଣ ପାଇଁ ସରକାର ଜିଲ୍ଲାୱାରୀ ଅର୍ଥ ପ୍ରଦାନ କରୁଥିବାବେଳେ ଖଣିଜ ଭିତିକ ଜିଲ୍ଲାରେ ଅନ୍ୟ ସ୍ରୋତ ବିଶେଷକରି ବିଭିନ୍ନ ସଂସ୍ଥାର ସିଏସଆର ପାଣ୍ଠି କିମ୍ବା ଖଣିଜ ଉନ୍ନୟନ ପାଣ୍ଠିରୁ ଅର୍ଥ ଆସି ଜଳଯୋଗାଣ ପାଇଁ ପଦକ୍ଷେପ ନିଆଯାଉଥିଲା । କିନ୍ତୁ ପ୍ରଥମଥର ପାଇଁ ରାଜ୍ୟ ସରକାର ଏଭଳି ନୂତନ ଯୋଜନା ପ୍ରସ୍ତୁତ କରିଛନ୍ତି । ତେଣୁ ଏହି ଯୋଜନାଲାଗି ରାଜ୍ୟ ସ୍ତରରେ ଏକକାଳୀନ ଅର୍ଥ ବରାଦ ହେବ । ଯାହା ଫଳରେ ଯୋଜନା ରୂପାୟନ କରିବା କ୍ଷେତ୍ରରେ ଆଉ ପ୍ରତିବନ୍ଧକ ରହିବନାହିଁ ବୋଲି ଜଣାଯାଇଛି । ରାଜ୍ୟବାସୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଥିବାବେଳେ ଏବେ ସେମାନଙ୍କ ଘରେ ଜଳ ଯୋଗାଣ ଟ୍ୟାପ୍ ଖଞ୍ଜିବାପାଇଁ ପଂଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଏକ ଅଭିନବ ଯୋଜନା ହୋଇଥିବାରୁ ଏହା ଯେଭଳି ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟକାରୀ ହେବ ତାହା ଉପରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ଜେନା ଗୁରୁତ୍ୱଆରୋପ କରିଛନ୍ତି ।

Loading...
>