ଗୃହକ୍ରେତାଙ୍କ ସୁରକ୍ଷା ପାଇଁ ଆସିବ ସ୍ୱତନ୍ତ୍ର ନୀତି

ନୂଆଦିଲ୍ଲୀ : ଘର କିଣା କ୍ଷେତ୍ରରେ ବିଲ୍ଡରମାନଙ୍କ ଦ୍ୱାରା ନାନା ପ୍ରକାର ହଇରାଣ ହରକତର ସମ୍ମୁଖୀନ ହେଉଥିବା ଗୃହକ୍ରେତା ଏବେ ସେଥିରୁ ମୁକୁଳିବା ପାଇଁ ସୁପ୍ରିମକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି । ଅନେକ ଘଟଣାରେ ବିଲ୍ଡରମାନେ ଘର ହସ୍ତାନ୍ତର କରିବାରେ କ୍ରେତାମାନଙ୍କୁ ଏଭଳି ହଇରାଣ କରୁଛି ଯେ, ସେମାନେ ପରିବର୍ତ୍ତୀ ସମୟରେ ଘର କିଣିବା ଚିନ୍ତା ଆଉ କରୁନାହାନ୍ତି । ଏହି ସମସ୍ୟାକୁ ନେଇ ସୁପ୍ରିମକୋର୍ଟରେ ପିଟିସନ ଦାୟର ହୋଇଥିଲା । ପିଟିସନର ଶୁଣାଣି କରି କୋର୍ଟ ଯଥାଶୀଘ୍ର କ୍ରେତାଙ୍କୁ ସୁରକ୍ଷା ଦେବା ଲାଗି ଏକ ସ୍ୱତନ୍ତ୍ର ନୀତି ପ୍ରଣୟନ କରିବା ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜେପି ଇନ୍ଫ୍ରାଟେକ୍ ଓ ଅନ୍ୟ କେତେକ ବିଲ୍ଡର ସଂସ୍ଥା ବହୁ ଲୋକଙ୍କୁ ଠକିବା ସହ ଅସୁବିଧାରେ ପକାଇଛନ୍ତି । ଏହି ଠକାମୀର ଶିକାର ହୋଇଥିବା ବ୍ୟକ୍ତି ଓ ବ୍ୟବସାୟୀମାନେ ଅଦାଲତର ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି । ଏଭଳି କେତେକ ସଂସ୍ଥା ଅଛନ୍ତି ଯେଉଁମାନେ ବିଲ୍ଡରମାନଙ୍କଠାରୁ ଘର କିଣି ଲୋକମାନଙ୍କୁ ଘର ଯୋଗାଇ ଦେଉଛନ୍ତି । ସେହି ସଂସ୍ଥାମାନେ ମଧ୍ୟ ଠକାମୀର ଶିକାର ହେଉଛନ୍ତି । ଏଏମ୍ ଖାନ୍ ୱାଲକର ଓ ଦିନେଶ ମାହେଶ୍ୱରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରୁଛନ୍ତି । ଏହିଭଳି ସମସ୍ୟାର ସମାଧାନ ପାଇଁ ଏକ ଏକକ ନୀତି ପ୍ରସ୍ତୁତ କରିବା ଲାଗି ଖଣ୍ଡପୀଠ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି । ଖଣ୍ଡପୀଠ କହିଛନ୍ତି ଯେ, ଲକ୍ଷଲକ୍ଷ ଗୃହକ୍ରେତା ବିଭିନ୍ନ ସମୟରେ ଠକାମୀର ଶିକାର ହେଉଛନ୍ତି । ଘର କିଣିବା ଲାଗି ଟଙ୍କା ଓ କାଗଜପତ୍ର ଦେବା ପରେ ମଧ୍ୟ ଶେଷ ପର୍ଯ୍ୟାୟରେ ସେମାନଙ୍କୁ ହଇରାଣ ହରକତ କରାଯାଉଛି । ଯାହା ଫଳରେ ସେମାନେ ଆର୍ଥିକ କ୍ଷତି ଏବଂ ମାନସିକ ଦୁଶ୍ଚିନ୍ତାର ଶିକାର ହେଉଛନ୍ତି । ଘର ପାଇବା ନେଇ ଅନିଶ୍ଚିତତା ମଧ୍ୟ ସୃଷ୍ଟି ହେଉଛି । କେନ୍ଦ୍ରକୁ ଖଣ୍ଡପୀଠ କହିଛନ୍ତି ଯେ, ଆପଣ ଏହି ସମସ୍ୟାର କିଛି ସମାଧାନ ପନ୍ଥା ବାହାର କରନ୍ତୁ । ଏଥିପାଇଁ ସରକାରଙ୍କଠାରୁ ଆମେ ପ୍ରସ୍ତାବ ଆହ୍ୱାନ କରୁଛୁ । ଯାହା ଆଧାରରେ ଦେଶବ୍ୟାପୀ ଲାଗୁ ହେଲା ଭଳି ଏକ ସମାନ ନୀତି ପ୍ରସ୍ତୁତ ହୋଇପାରିବ । ଜେପି କଂପାନୀ ଠାରୁ ଘର କିଣୁଥିବା ବ୍ୟକ୍ତିବିଶେଷ ଏବଂ ସଂସ୍ଥାମାନେ ଏବେ ଏଭଳି ଅବସ୍ଥାରେ ଅଛନ୍ତି, ନା ଘର ପାଉଛନ୍ତି ନା ଅର୍ଥ ଫେରି ପାଉଛନ୍ତି ।

Loading...
>