କୋଣାର୍କ ମହୋତ୍ସବ-୨୦୧୮ ଉଦ୍‌ଯାପିତ

କୋଣାର୍କ: ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପାଞ୍ଚ ଦିନ ଧରି ଚାଲିଥିବା କୋଣାର୍କ ମହୋତ୍ସବ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସନ୍ଧ୍ୟାକୁ ରାଜ୍ୟପାଳ ପ୍ରଫେସର ଡ. ଗଣେଶୀ ଲାଲ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ। ଆଲୋକର ସୁନ୍ଦର ପରିପାଟୀ ଓ ସାଜସଜ୍ଜାକୁ ନେଇ ମୁକ୍ତାକାଶ ରଙ୍ଗମଞ୍ଚ ଯେତିକି ବାର୍ଣ୍ଣାଢ୍ୟ ଥିଲା ପରିବେଷିତ ଶାସ୍ତ୍ରୀୟ ନୃତ୍ୟର ଝଙ୍କାର ସେତିକି ଭାବମୟ ପରିବେଶ ସୃଷ୍ଟି କରିଥିଲା। କଥକ ନୃତ୍ୟରେ ‘ଦୁର୍ଗାସ୍ତୁତି’ ପରିବେଷଣ କରିଥିଲେ କୁମୁଦିନୀ ଲାଖିଆ ଓ ସାଥୀ। ପରେ କଥକ ଶୈଳୀରେ ଉପସ୍ଥାପିତ ହୋଇଥିଲା ‘ଧମାର’। ମୀରାବାଇଙ୍କ ଭଜନ ଆଧାରରେ ପ୍ରସ୍ତୁତ ହୋଇଥିଲା କୃଷ୍ଣଭକ୍ତିର ମାର୍ମିକ ଉପସ୍ଥାପନା ‘ବରଷେ ବଦରିୟା ସାୱନ୍‌ କି’ା ତାଳ ଓ ଛନ୍ଦର ମିଶ୍ର ରାଗକୁ ନେଇ ଅହମ୍ମଦାବାଦର କଥକ ଅନୁଷ୍ଠାନ କଦମ୍ବର ଶିଳ୍ପୀଙ୍କ ଦଳଗତ ପରିବେଷଣ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ସୁରେଶ ସେଠୀଙ୍କ ସଙ୍ଗୀତ ସଂଯୋଜନା, ଗୁରୁ ପ୍ରଫୁଲ ମଙ୍ଗରାଜଙ୍କ ତାଳବାଦ୍ୟ ରଚନା ଓ ରଞ୍ଜନା ଗୌହର୍‌ଙ୍କ ନୃତ୍ୟ ସଂଯୋଜନାରେ ଓଡ଼ିଶୀ ନୃତ୍ୟରେ ‘ମତ୍ସ୍ୟ ଅବତାର’ ପରିବେଷଣ କରିଥିଲେ ପଦ୍ମଶ୍ରୀ ରଞ୍ଜନା ଗୌହର ଓ ସାଥୀ। ପୁରାଣର ଏହି ସୁନ୍ଦର ବୃତାନ୍ତ ମାଧ୍ୟମରେ ପ୍ରକୃତି ଓ ପରବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲେ ଓଡ଼ିଶୀ ନୃତ୍ୟାଙ୍ଗନା।

ଉଦ୍‌ଯାପନୀ ଉତ୍ସବରେ ଅତିଥିଭାବେ ପର୍ଯ୍ୟଟନ ବିଭାଗ ସଚିବ ବିଶାଳ ଦେବ, ଜିଲାପାଳ ଜ୍ୟୋତିପ୍ରକାଶ ଦାସ ପ୍ରମୁଖ ଯୋଗଦେଇଥିଲେ। ନୃତ୍ୟ ସମୀକ୍ଷକ ଥିଲେ ଡ. ସୁନିଲ୍‌ କୋଠାର. ଡ. ଲୀଲା ଭେଙ୍କଟ ରମଣ ଓ ତପତି ଚୌଧୁରୀ। କାର୍ଯ୍ୟକ୍ରମକୁ ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ ଓ ସାଧନା ଶ୍ରୀବାସ୍ତବଙ୍କ ସଞ୍ଚାଳନା କରିଥିବାବେଳେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ, ଯୁଗ୍ମ ସଚିବ ଶୁଭ୍ରା ମହାନ୍ତି, ଯୁଗ୍ମ ନିର୍ଦ୍ଦେଶକ ଉତ୍ପଳ ପତି, ସହ ନିର୍ଦ୍ଦେଶକ ବିଜୟ କୁମାର ଜେନା, କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, ପର୍ଯ୍ୟଟନ ଅଧିକାରୀ  ରତିକାନ୍ତ ପଟ୍ଟନାୟକ,  ସୁନିଲ କୁମାର ପଟ୍ଟନାୟକ, ଓଡିଶୀ ଗଗେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ  ସଙ୍ଗୀତା ଗୋସାଇଁ, ସଙ୍ଗୀତ ନାଟକ ଏକାଡେମୀ ସଚିବ  ବିଜୟ କୁମାର ଜେନା ସହଯୋଗ କରିଥିଲେ।  ଇଂ. ଜୟଦେବ ଦାସଙ୍କ ସଂଯୋଜନାରେ ଆଲୋକ ଓ ଇଂ. ତାରାକାନ୍ତ ପଣ୍ଡା ଶବ୍ଦ ପରିଚାଳନା କରିଥିଲେ।

Loading...
>