ରାଜ୍ୟ ସରକାର ଓ ଟାଟାଷ୍ଟ୍ରାଇଭ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଭାଗୀୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ତୁଷାରକାନ୍ତି ବେହେରା ଓ ପ୍ରେମାନନ୍ଦ ନାୟକଙ୍କ ଉପସ୍ଥିତିରେ ଆଜି ଖାରବେଳ ଭବନଠାରେ ୩ଟି ବୁଝାମଣାପତ୍ର ସ୍ୱାକ୍ଷର ହୋଇଛନ୍ତି । ଓଡିଶାର ଯୁବଗୋଷ୍ଠୀଙ୍କ ଦକ୍ଷତା ବିକାଶ ଏବଂ ନିଯୁକ୍ତିର ନବଦିଗନ୍ତ ଲକ୍ଷ୍ୟ ନେଇ ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଟାଟାଷ୍ଟ୍ରାଇଭ୍ ଏବଂ ଟେକ୍ ମହିନ୍ଦ୍ରା ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି । ପ୍ରଥମ ବୁଝାମଣପତ୍ରଟି ସରକାରୀ ଆଇଟିଆଇରେ ଅଧ୍ୟାୟନରତ ପ୍ରଶିକ୍ଷାର୍ଥୀଙ୍କ ପାଇଁ ଲାଇଫ୍ ସ୍କିଲିଂରେ ସହାୟକ ହେବ । ଏହା ଦ୍ୱାରା ପ୍ରଶିକ୍ଷାର୍ଥୀମାନେ କର୍ମ ଜୀବନର ସର୍ବାଙ୍ଗିନୀ ଉନ୍ନତି ପାଇଁ ବିଭିନ୍ନ ଶିଳ୍ପ ସଂସ୍ଥାରେ ନିଯୁକ୍ତି ସୁଯୋଗ ପାଇପାରିବେ । ଏହି ବୁଝାମଣାପତ୍ରଟି ଆଇଟିର ନିର୍ଦ୍ଦେଶକ ରେଘୁ ଜୀ, ଟାଟା ଷ୍ଟ୍ରାଇଭ୍‌ର ସିଇଓ ଅନିତା ରାଜନଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଥିଲା । ଏହି ଚୁକ୍ତିନାମା ଅନୁଯାୟୀ ରାଜ୍ୟର ସମସ୍ତ ୪୯ଟି ଆଇଟିଆଇରେ ପ୍ରଶିକ୍ଷାର୍ଥୀମାନଙ୍କୁ ଲାଇଫ୍ ସ୍କିଲିଂ ପ୍ରଦାନ କରାଯିବ ।
ସେହିଭଳି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା ପାଇଁ ଟେକ୍ ମହିନ୍ଦ୍ରା- ବିପିୟୁଟି-ସିଇଟି ମଧ୍ୟରେ ତ୍ରିପାକ୍ଷିକ ବୁଝାମଣା ହୋଇଥିଲା । ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ଏହା ନିଯୁକ୍ତି ସୃଷ୍ଟି କରିବ । ପ୍ରତ୍ୟେକ ବର୍ଷ ୩୦ଜଣ ପ୍ରଶିକ୍ଷାର୍ଥୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପରୀକ୍ଷଣ ପାଇପାରିବେ । ଏହି ବୁଝାମଣାପତ୍ରଟି ଟେକ୍ ମହିନ୍ଦ୍ରା ପକ୍ଷରୁ ବିକେ ମିଶ୍ର, ସିଇଟି ପକ୍ଷରୁ ଅଧ୍ୟକ୍ଷା ପ୍ରଫେସର ପିକେ ପାତ୍ର ଓ ବିପିୟୁଟି ପକ୍ଷରୁ ରେଜିଷ୍ଟାର ଏଚ୍‌ଏସ୍ ବେହେରା ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ ।
ସେହିପରି ଫର୍ଚ୍ୟୁନ ଟାୱାରଠାରେ ଆନ୍ତର୍ଜାତିକମାନର ବିପିଓ ପ୍ରତିଷ୍ଠା ପାଇଁ ଇଡ୍‌କୋ ଓ ଟେକ୍ ମହିନ୍ଦ୍ରା ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା । ଏହି ଚୁକ୍ତିନାମାଟି ଟେକ୍ ମହିନ୍ଦ୍ରା ପକ୍ଷରୁ ପ୍ରତାପ ପଟ୍ଟନାୟକ ଏବଂ ଇଡକୋ ପକ୍ଷରୁ ଜେନାରାଲ ମ୍ୟାନେଜର ସିଭି ରବିନ୍ଦ୍ର ଝା ସ୍ୱାକ୍ଷର କରିଥିଲେ । ଏହି ଅବସରରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସମେତ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା କମିଶନର ତଥା ଶାସନ ସଚିବ ସଂଜୟ ସିଂ ଓ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Loading...
>