ଆଗକୁ ମହିଳା ହେବେ ଦଲାଇଲାମା

ମୁମ୍ବାଇ : ଭବିଷ୍ୟତରେ ଜଣେ ମହିଳାଙ୍କୁ ଦଲାଇଲାମା ଭାବରେ ଦେଖିବାକୁ ମିଳିପାରେ । ଏଭଳି ସୂଚନା ଦେଇଛନ୍ତି ତୀବତୀୟମାନଙ୍କର ଆଧ୍ୟାତ୍ମିକ ଗୁରୁ ଦଲାଇଲାମା । ଶୁକ୍ରବାର ଏଠାରେ ଏକ କାର୍ଯ୍ୟକ୍ରମ ଅବସରରେ ଦଲାଇଲାମା କହିଥିଲେ ଯେ, ବୌଦ୍ଧ ପରଂପରାରେ ଉଦାରବାଦ ରହିଛି । ଏହା ଏକ ଅତି ଉଦାରବାଦ ଧର୍ମ ଓ ପରଂପରା । ଏଥିରେ ଉଭୟ ପୁରୁଷ ଓ ମହିଳାଙ୍କୁ ସମାନ ଅଧିକାର ଦିଆଯାଇଛି । ଏହି ଦୃଷ୍ଟିରୁ ଭବିଷ୍ୟତରେ ଜଣେ ମହିଳା ଦଲାଇଲାମାଙ୍କୁ ଦେଖିବାକୁ ମିଳିପାରେ । ଏଠାରେ ସ୍ଥିତ ଭାରତୀୟ ଟେକ୍ନୋଲୋଜି ପ୍ରତିଷ୍ଠାନରେ ଆୟୋଜିତ ସଭାକୁ ଉଦ୍ବୋଧନ ଦେଇ ସେ କହିଲେ ଯେ, ବୌଦ୍ଧ ଧର୍ମ ଓ ପରଂପରା ଯେତିକି ସମୃଦ୍ଧ ସେତିକି ସୁସଂହତ । ଏଥିରେ ବହୁ ପ୍ରାଚୀନ କାଳରୁ ସମସ୍ତଙ୍କୁ ସମାନ ଅଧିକାର ଦିଆଯିବାର ପରଂପରା ରହିଛି । କୌଣସି ବ୍ୟକ୍ତି ଯେପରି କୌଣସି ଅଧିକାରରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ଧ୍ୟାନ ଦିଆଯାଇଛି । ଅନ୍ୟାୟ, ଅନୀତି ଓ ଅସମାନତାକୁ ଏହା କେବେବି ପ୍ରଶ୍ରୟ ଦେଇନାହିଁ । କାରଣ ଏଭଳି ନକରାତ୍ମକ ତତ୍ତ୍ୱ ରହିଲେ ଅସ୍ଥରିତ ସୃଷ୍ଟି ହୋଇଥାଏ । ବର୍ତ୍ତମାନର ସମାଜରେ ଅନୀତି, ଅଧର୍ମ ଓ ଅସମାନତା ଯୋଗୁଁ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଉଛି । ଆମର ବିଚାରଧାରା ଯେତେ ମାର୍ଜିତ ଓ ଯୁକ୍ତିଯୁକ୍ତ ହେବ ସମାଜ ସେତିକି ସମୃଦ୍ଧ ଓ ଶାନ୍ତିପୂର୍ଣ୍ଣ ହୋଇପାରିବ ବୋଲି ସେ କହିଥିଲେ । ପ୍ରକାଶଥାଉକି, ବର୍ତ୍ତମାନ ଦଲାଇଲାମାଙ୍କ ପ୍ରକୃତ ନାମ ତେନ୍ ଜିନ୍ ଗ୍ୟାତସୋ ।

Loading...
>