ବିଜେପିକୁ ୫ ବର୍ଷ ଦିଅ, ଓଡିଶାକୁ ଏକ ନମ୍ବର କରିବୁ : ଶାହ

କେନ୍ଦୁଝର: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି କେନ୍ଦୁଝର କଲେଜ ପଡିଆରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଭାଷଣ ଦେଇ ରାଜ୍ୟବାସୀଙ୍କୁ ଭୋଟ ଭିକ୍ଷା କରିଛନ୍ତି । ଅମିତ କହିଛନ୍ତି ରାଜ୍ୟରେ ଗତ ୧୯ ବର୍ଷ ଧରି ଭ୍ରଷ୍ଟାଚାରୀ ସରକାର ଚାଲିଛି । ଏଥିପାଇଁ ରାଜ୍ୟର ବିକାଶ ହୋଇପାରୁନାହିଁ । ଏଣୁ ଓଡିଶାବାସୀ ବିଜେପିକୁ ଦାୟିତ୍ୱ ଦେଲେ ୫ ବର୍ଷରେ ଓଡିଶାର ଏକନମ୍ବର ରାଜ୍ୟରେ ପରିଣତ ହେବ । ଶ୍ରୀ ଶାହ ପୁଣି ଏବେ ସେ ନିର୍ବାଚନ ପାଇଁ ଦେଶର ଅନେକ ସ୍ଥାନକୁ ଯାଉଛନ୍ତି, ଯେଉଁ ସ୍ଥାନକୁ ଗଲେ ସେଠାରେ ଏବେ ମୋଦି ମୋଦି ଶୁଭୁଛି । ୫ବର୍ଷରେ ମୋଦି ସରକାର ଗରିବୀ ହଟାଇବାକୁ ବହୁ କାମ କରିଛନ୍ତି । ନିର୍ବାଚନରେ ମୋଦିଙ୍କୁ ଜିତାଇବା ସହ ନବୀନଙ୍କୁ ବିଦା କରିବାର ଅଛି । ୧୯ ବର୍ଷ ପରେ ବି ନବୀନ ଓଡିଶାରେ କଥା କହିପାରୁନାହାନ୍ତି ।

ପ୍ରଶ୍ନଛଳରେ ଅମିତ କହିଲେ ଆପଣଙ୍କୁ କ’ଣ ଏମିତି ମୁଖ୍ୟ ଦରକାର, ନା’ ଯିଏ ଆପଣଙ୍କ ଭାଷାରେ କଥା ହେଉଥିବା, ଆପଣଙ୍କ ସମସ୍ୟାର ସମାଧାନ କରିପାରୁଥିବା ସେମିତି ମୁଖ୍ୟମନ୍ତ୍ରୀ ଦରକାର । ସେ ପୁଣି କହିଲେ ବିଏମ୍ଏଫ୍ରେ କେନ୍ଦୁଝର ଜିଲ୍ଲାକୁ ୧୬ଶହ କୋଟି ଟଙ୍କା ମଞ୍ଜୁର କରାଯାଇଛି । କେନ୍ଦୁଝର ମେଡିକାଲ କଲେଜ ଡିଏମ୍ଏଫ୍ ପାଣ୍ଠିରେ ହେଉଛି । ମୋଦି ସରକାର ମେଡିକାଲ ପାଇଁ ପାଣ୍ଠି ଯୋଗାଇ ଦେଇଛନ୍ତି । ହେଲେ ନବୀନ ଚାରିଣୀଟିଏ ବି ଦେଇନାହାନ୍ତି । ବନଜାତ ଦ୍ରବ୍ୟର ସମର୍ଥନ ମୂଲ୍ୟ ମଧ୍ୟ ମୋଦି ସରକାର ଦେଇଛନ୍ତି । ୧୯ବର୍ଷ ହେଲାଣି ଏଠି ନବୀନ ବାବୁ ସରକାରରେ ଅଛନ୍ତି । ଟୋପାଏ ପାଣି ନାହିଁ । ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ହଜାର ହଜାର ଯୁବକ ଓଡିଶାରେ କାମ ନପାଇଁ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ତେବେ ଓଡିଶାରେ ବିଜେପି ସରକାର ଆସିଲେ ଆଉ କାମ ପାଇଁ ବାହାରକୁ ଯିବାକୁ ପଡିବନି । ଗତ ୧୯ ବର୍ଷ ଭିତରେ ନବୀନ ବାବୁ କେବଳ ଖଣି ଘୋଟାଲା କରିଛନ୍ତି । ଆଉ କିଛି କରିନାହାନ୍ତି । ନବୀନବାବୁଙ୍କ ପାଖ ଲୋକ ବାବୁମାନେ ଭ୍ରଷ୍ଟାଚାର କରିଛନ୍ତି । ନବୀନ ନିର୍ବିକାର ଭାବରେ ସେଥିରେ ନୀରବ ରହିଛନ୍ତି । ଓଡିଶା ପାଖରେ ଏତେ ଖଣିଜ ସଂପଦ ଥାଇ ବି ଓଡିଶା ଗରିବ । ଚିଟ୍ଫଣ୍ଡରେ ସଂପୃକ୍ତ ଲୋକଙ୍କ ପ୍ରତି ନବୀନଙ୍କ ଦରଦ ରହିଛି । କିନ୍ତୁ ବିଜେପି ସରକାର ଆସିଲେ ଚିଟଫଣ୍ଡ ଅଭିଯୁକ୍ତକୁ ଜେଲ ପଠାଇବାକୁ ଭୁଲିବ ନାହିଁ । ସେ ପୁଣି କହିଲେ ଓଡିଶାରେ ବିଜେପି ସରକାର ଆସିଲେ କେନ୍ଦୁଝର ଜିଲ୍ଲାରେ ଆଉ ଏକ ମେଡିକାଲ କଲେଜ ପ୍ରତିଷ୍ଠା ହେବ । କେନ୍ଦୁପତ୍ର ଉପର ଜିଏସ୍ଟି ସଂପୂର୍ଣ୍ଣ ଛାଡ କରାଯିବ । ତେଣୁ ଏବେ ସମୟ ଆସିଛି ଓଡିଶାବାସୀ ନିଷ୍ପତ୍ତି ନିଅନ୍ତୁ, କିଭଳି ସରକାର ଦରକାର ।

Loading...
>