ନୂଆ ମୁଖ୍ୟମନ୍ତ୍ରୀଙ୍କ ସନ୍ଧାନରେ ଗୋଆ ବିଜେପି

ପାନାଜୀ : ଗୋଆର ମୁଖ୍ୟମନ୍ତ୍ରୀ ମନହୋର ପାରିକରଙ୍କ ସ୍ୱାସ୍ଥ୍ୟବସ୍ଥା ଦିନକୁ ଦିନ ଅଧିକ ବିଗିଡିବାରେ ଲାଗିଛି । ଗତକାଲିଠୁ ତାଙ୍କ ଅବସ୍ଥା ଆହୁରି ଗୁରୁତର ହୋଇପଡିଛି । ତାଙ୍କୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଚିକିତ୍ସା କରୁଛନ୍ତି । ଏହି ସ୍ଥିତିକୁ ଆଖି ଆଗରେ ରଖି ବିଜେପି ପାରିକରଙ୍କର ବିକଳ୍ପ ସନ୍ଧାନ ଆରମ୍ଭ କରିଦେଇଛି । ସାଂପ୍ରତିକ ପରିସ୍ଥିତିରୁ ରାଜନୀତିକୁ ଫାଇଦା ଉଠାଇବା ପାଇଁ କଂଗ୍ରେସ ଜୋରସର ଉଦ୍ୟମ ଚଲାଇଛି । ବିଜେପି ସରକାରକୁ ପଦଚ୍ୟୁତ କରି କ୍ଷମତା ଦଖଲ କରିବା ଲାଗି କଂଗ୍ରେସ ବିଧିବଦ୍ଧ ଭାବରେ ପ୍ରୟାସ ଚଳାଇଛି । ରାଜ୍ୟରେ ନୂଆ ସରକାର ଗଠନ ପାଇଁ ସୁଯୋଗ ଦେବା ଲାଗି ଦଳ ରାଜ୍ୟପାଳଙ୍କ ନିକଟରେ ଅନୁରୋଧ କରିଛନ୍ତି । କଂଗ୍ରେସର ଏଭଳି ଗତିବିଧି ଦେଖି ସରକାର ବଞ୍ଚାଇବା ଲାଗି ବିଜେପି ପକ୍ଷରୁ ସବୁ ପ୍ରକାର ସମ୍ଭାବ୍ୟ ପ୍ରୟାସ କରାଯାଉଛି । ପାରିକରଙ୍କ ସ୍ଥାନରେ ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି ବିଚାରବିମର୍ଷ ଚାଲିଛି । ଶନିବାର ବିଧାୟକ ଦଳର ଏକ ବୈଠକ ବସିଥିଲା । ଏଥିରେ ସବୁ ବିଜେପି ବିଧାୟକ ଯୋଗ ଦେଇଥିଲେ । ପାରିକରଙ୍କର ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହୋଇପଡିଥିବାରୁ ସେ ଶାସନ କାର୍ଯ୍ୟ କରିବା ଆଗକୁ ସମ୍ଭବପର ନୁହେଁ । ତେଣୁ ଜଣେ ନୂଆ ବ୍ୟକ୍ତିଙ୍କୁ ତୁରନ୍ତ ଏହି ଦାୟିତ୍ୱ ଦିଆଯିବା ଦରକାର । ତେବେ ନୂଆ ମୁଖ୍ୟମନ୍ତ୍ରୀ ଦଳ ଭିତରୁ ହିଁ ହେବା ଦରକାର ବୋଲି ବିଧାୟକମାନେ ଦୃଢ ଦାବି ତଥା ପ୍ରସ୍ତାବ ଉପସ୍ଥାପନ କରିଥିଲେ । ବିଜେପିର କେନ୍ଦ୍ରୀୟ ନେତୃତ୍ୱ ରବିବାର ଗୋଆ ଗସ୍ତ କରି ଏହି ବିଷୟ ଉପରେ ବିଧାୟକମାନଙ୍କୁ ଭେଟି ଆଲୋଚନା କରିଛନ୍ତି । ଜଣେ ଉପଯୁକ୍ତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛିବା ଲାଗି ମଧ୍ୟ ସେମାନଙ୍କ ମତାମତ ନିଆଯାଇଛି । ଖୁବଶୀଘ୍ର ଏ ସଂପର୍କରେ ଚୂଡାନ୍ତ ନିଷ୍ପତ୍ତି ହୋଇଯିବ ବୋଲି ଦଳୀୟ ସୂତ୍ରରୁ ଜଣାପଡିଛି । ଏବେ ଗୋଆରେ ମିଳିତ ସରକାର ଚାଲିଛି ।

Loading...
>