ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନ-ଧନ ଯୋଜନାର ଶୁଭାରମ୍ଭ : ୧୮ରୁ ୪୦ ବର୍ଷ ପର୍ଯ୍ୟନ୍ତ ଲୋକଙ୍କୁ ମିଳିବ ଏହି ସୁବିଧା

ଅହମ୍ମଦାବାଦ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଅହମ୍ମଦାବାଦସ୍ଥିତ ବସ୍ତ୍ରାଲ ପଡିଆଠାରେ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନ-ଧନ ଯୋଜନାକୁ ଭିଡିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ କରିଛନ୍ତି । ଅସଂଗଠିତ ଶ୍ରମିକମାନଙ୍କୁ ବୃଦ୍ଧାବସ୍ଥାରେ ସୁରକ୍ଷା ପ୍ରଦାନ ପାଇଁ ଉଦ୍ଦିଷ୍ଟ ଏହି ଯୋଜନା ଅଧୀନରେ ଉଠାଦୋକାନୀ, ରିକ୍ସାଚାଳକ, ବୋଝ ବୋହୁଥିବା ଓ ଇଟା ଭାଟିରେ କାର୍ଯ୍ୟରତ ଶ୍ରମିକ, ଦର୍ଜୀ, ବିଡି ଶ୍ରମିକ, ଘରୋଇ ଚାକର, ହସ୍ତତନ୍ତ୍ର କାରିଗର ଭଳି ୧୫୦ ପ୍ରକାର ବିଭିନ୍ନ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିମାନେ ଏଥିରେ ଅନ୍ତୁର୍ଭକ୍ତ ହେବେ ।
ଏଥିପାଇଁ ଅସଂଗଠିତ କ୍ଷେତ୍ରରେ ନିଯୁକ୍ତ ଶ୍ରମିକଙ୍କ ବୟସ ୧୮ରୁ ୪୦ ମଧ୍ୟରେ ହେବା ଆବଶ୍ୟକ । ଏହା ବ୍ୟତୀତ ତାଙ୍କର ଆୟ ମାସିକ ୧୫ ହଜାର କିମ୍ବା ତାଠାରୁ କମ ହେବା ଆବଶ୍ୟକ । ଏହି ଯୋଜନାର ହିତାଧିକାରୀଙ୍କ ପାଖରେ ଆଧାର କାର୍ଡ, ବ୍ୟାଙ୍କ ଜମା ଖାତା/ଜନଧନ ଖାତା ନମ୍ବର ଓ ଆଇଏଫଏସସି କୋଡ ନମ୍ବର ଥିବା ଦରକାର । ଏହାଛଡା ଆବେଦନକାରୀ ନିଜର ବା ସମ୍ପର୍କୀୟଙ୍କ ମୋବାଇଲ ନମ୍ବର ଥିବା ଦରକାର । ଏହି ସ୍ୱେଚ୍ଛାକୃତ ଅଂଶ ଦାନ ପେନସନ ଯୋଜନା ଅଧୀନରେ ଜଣେ ସଦସ୍ୟଙ୍କୁ ୬୦ ବର୍ଷ ପରେ ନିଶ୍ଚିତ ଭାବେ ତିନି ହଜାର ଟଙ୍କା ପେନସନ ମିଳିବ । ସଦସ୍ୟଙ୍କ ମୃତ୍ୟୁ କ୍ଷେତ୍ରରେ ସେମାନଙ୍କ ପତି ବା ପତ୍ନୀଙ୍କୁ ପେନସନର ଶତକଡା ୫୦ ଭାଗ ପରିବାର ପେନସନ ମିଳିବ । ଅଣସଂଗଠିତ ଶ୍ରମିକଙ୍କୁ ଯେତିକି ଅଂଶଧନ ବାବଦ ଅର୍ଥ ଦେବାକୁ ପଡିବ ସେତିକି ଅର୍ଥ କେନ୍ଦ୍ର ସରକାର ଦେବେ । ୧୮ ବର୍ଷ ସଦସ୍ୟଙ୍କ ପାଇଁ ଏହି ଅଂଶଧନ ୫୫ ଟଙ୍କାରୁ ଆରମ୍ଭ ହୋଇ ୪୦ ବର୍ଷର ସଦସ୍ୟଙ୍କ ପାଇଁ ୨୦୦ ଟଙ୍କା ଦେବାକୁ ହେବ ।
ଏହି ଯୋଜନାରେ ପଞ୍ଜୀକୃତ ହେବାପାଇଁ ଅସଂଗଠିତ ଶ୍ରମିକମାନଙ୍କୁ ନିଜର ଆଧାରକାର୍ଡ ତଥା ଜମା ବ୍ୟାଙ୍କ ଖାତା ବା ଜନଧନ ଜମାଖାତାକୁ ନେଇ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯିବାକୁ ହେବ । ପ୍ରଥମ ଅଂଶଧନ ବାବଦ ଅର୍ଥ ନଗଦ ଓ ପରେ ବ୍ୟାଙ୍କରୁ ସ୍ୱତଃ ଅର୍ଥ ପର୍ଯ୍ୟାୟକ୍ରମେ କଟିବ । କୌଣସି ସଦସ୍ୟ ନିୟମିତ ଭାବେ ନିଜର ଦେୟ ଦେଇ ନଥିଲେ ସେ ବାକି ଟଙ୍କା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସୁଧ ଦେଇ ଜମା କରାଇ ନିଜର ଖାତାକୁ ନିୟମିତ କରାଇପାରିବେ ।
ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିକଟରେ ପିଏମ କିଷାନ ସମ୍ମାନନିଧି ଯୋଜନାରେ ୧୨ କୋଟି ହିତାଧିକାରୀଙ୍କୁ ସାମିଲ କରାଯାଇଥିବାବେଳେ, ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନ-ଧନ ଯୋଜନା ଅଧୀନରେ ୪୨ କୋଟି ଅସଂଗଠିତ ଶ୍ରମିକଙ୍କୁ ଅନ୍ତର୍ଭୁକ୍ତ କରାଯାଇପାରିବ ବୋଲି କହିଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ପ୍ରମୁଖ ଉଦ୍ବୋଧନ ଦେଇ ଯୋଜନାର ରୂପରେଖ ଉପରେ ସୂଚନା ଦେଇଥିଲେ ।
ଏଥିପାଇଁ ଭୁବନେଶ୍ୱରଠାରେ ଆୟୋଜିତ ସମାରୋହରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ, କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଏହି ଯୋଜନାରେ ଓଡ଼ିଶାର ପ୍ରାୟ ୩୨ ହଜାର ନିର୍ମାଣ ଶ୍ରମିକ ଏଥିରେ ଯୋଡି ହୋଇଥିବା ପ୍ରକାଶ କରିଥିଲେ । ଏ ପର୍ଯ୍ୟନ୍ତ ୨୪ ହଜାର କାର୍ଡ ପ୍ରସ୍ତୁତ ହୋଇଥିବା ରାଜ୍ୟ ଜନସେବା କେନ୍ଦ୍ର ମୁଖ୍ୟ ସ୍ୱର୍ଣ୍ଣପ୍ରଭା ସିଂ ସୂଚନା ଦେଇଥିଲେ ।
ଏହି ଅବସରରେ ଭାରତୀୟ ତୈଳ ନିଗମ ପାରିପାଶ୍ୱିର୍କ ବିକାଶ ଯୋଜନା ଅଧୀନରେ ପୁରୀ ମହୋଦଧି ମହାବୀର କ୍ଲବ ପାଠାଗାର, ପୁରୀ କୃଷ୍ଣପ୍ରସାଦ ବ୍ଲକର ବୀଣାପାଣୀ ୟୁଥ କ୍ଲବ, ଖୋର୍ଦ୍ଧା ଜିଲ୍ଲା ଜାଆଁଳାଠାରେ ଜଳଜୀବନ ଅଧୀନରେ ସୋଲାର ସବରମର୍ଜସିବୁଲ ପମ୍ପ, କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ ଚନ୍ଦ୍ରଦେଇପୁରଠାରେ ସୋଲାର ଷ୍ଟ୍ରୀଟ ଲାଇଟର ଉଦଘାଟନ କରିଥିଲେ । ଏହାଛଡା ୨୧୭ ଜଣ ଦିବ୍ୟାଙ୍ଗଙ୍କୁ ବିଭିନ୍ନ ଉପକରଣ ପ୍ରଦାନ କରାଯାଇଥିଲା ।

Loading...
>