ସରିଲା ଆଦିବାସୀ ମେଳା : ମେଳାରେ କାରବାର ୮ କୋଟି ଟଙ୍କା ଟପିଛି

ଭୁବନେଶ୍ୱର : ରାଜ୍ୟର ଆଦିବାସୀ ଜୀବନର ମହାକୁମ୍ଭ ରୂପେ ପରିଚିତ ଆଦିବାସୀ ମେଳା ଶନିବାର ସନ୍ଧ୍ୟାରେ ଖାରବେଳ ନଗରର ଇଡ଼କୋ ପ୍ରଦର୍ଶନୀ ପଡ଼ିଆରେ ଶେଷ ହୋଇଛି । ଆଦିବାସୀ ମାନଙ୍କର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଜୀବନର ବାସ୍ତବ ଚିତ୍ର ବହନ କରୁଥିବା ଏହି ମେଳା ରାଜଧାନୀବାସୀଙ୍କ ପାଇଁ ଆଣି ଦେଇଥିଲା କିଛି ନିଆରା ଅନୁଭୂତି । ପନ୍ଦର ଦିନ ଧରି ପ୍ରତି ସନ୍ଧ୍ୟାରେ ଆଦିବାସୀ ସମ୍ପ୍ରଦାୟର ପାରମ୍ପରିକ ନୃତ୍ୟ, ସଂଗୀତ ଓ ବାଦ୍ୟ ଯନ୍ତ୍ରର ମଧୁର ମୂର୍ଚ୍ଛନାରେ ଝଙ୍କୃତ ହୋଇ ଉଠିଥିବା ମେଳା ପରିସର ଦର୍ଶକ ମାନଙ୍କୁ ଯେପରି ଆମୋଦିତ କରିପାରିଥିଲା, ତାହା ରାଜଧାନୀର ସାଂସ୍କୃତିକ ଜୀବନରେ ନିଶ୍ଚିନ୍ତ ଭାବରେ ଏକ ମାଇଲଖୁଂଟ ହୋଇ ରହିବ । ପନ୍ଦରଦିନ ଧରି ଚାଲିଥିବା ମେଳାରେ ୮ କୋଟି ଟଙ୍କାରୁ ଉଦ୍ଧ୍ୱର୍ କାରବାର ହୋଇଥିବାର ପ୍ରାରମ୍ଭିକ ଅଟକଳରୁ ଜଣାପଡ଼ିଛି । ଚଳିତ ବର୍ଷ ମେଳାର ଯେଉଁ ଦିଗ ଗୁଡ଼ିକ ଦର୍ଶକ ମାନଙ୍କୁ ବିଶେଷ ପ୍ରଭାବିତ ଓ ଆକର୍ଷିତ କରିଥିଲା, ତାହା ହେଉଛି ଲବ୍ଧ ପ୍ରତିଷ୍ଠ ଚିତ୍ରଶିଳ୍ପୀ ଓ କଳାକୃତୀ ବିଶେଷଜ୍ଞଙ୍କ ପରାମର୍ଶକୁ ଆଧାର କରି ପ୍ରସ୍ତୁତ ହୋଇଥିବା ମେଳା ପରିସରର ସୌନ୍ଦର୍ଯ୍ୟପୂର୍ଣ୍ଣ ନିର୍ମାଣ ଶୈଳୀ । ଆଦିବାସୀ ମହିଳା ସଶକ୍ତିକରଣ ମନ୍ତ୍ରକୁ ପ୍ରଚାର ଓ ପ୍ରସାର କରିବା ଏଥର ଏହି ମେଳାର ଅନ୍ୟତମ ଆଭିମୁଖ୍ୟ ଥିଲା । କାରଣ ଅଧିକାଂଶ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରି କରିବାରେ ମହିଳାମାନେ ହିଁ ଆଗଭର ଥିବାର ଦେଖା ଯାଇଥିଲା । ଆଦିବାସୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ଓ କୃଷିଜାତ ସାମଗ୍ରୀ ତଥା ସେମାନଙ୍କ ଦ୍ୱାରା ସଂଗୃହୀତ ବନଜାତ ଦ୍ରବ୍ୟ ପ୍ରଦର୍ଶନ ଓ ବିକ୍ରିବଟା ନିମନ୍ତେ ଏହି ମେଳା ଏକ ବଡ଼ ବଜାର ସୃଷ୍ଟି କରିାପରିଥିଲା । ବିଶେଷ କରି ରାଜଧାନୀର ସାଧାରଣ ଜନତା ଓ ସମ୍ଭ୍ରାନ୍ତ ପରିବାରର ମହିଳାମାନେ ନିଜ ନିଜର ଘର ସଜାଇବା ଉପକରଣ ଠାରୁ ଆରମ୍ଭ କରି ରୋଷେଇ ସାମଗ୍ରୀ ପର୍ଯ୍ୟନ୍ତ କ୍ରୟ କରିବାକୁ ବିଭିନ୍ନ ଷ୍ଟଲରେ ଯେପରି ଭିଡ଼ ଜମାଇଥିଲେ, ତାହା ଏକ ନିଆରା ଅନୁଭୂତି ଆଣିଥିଲା ।
ଆଜିର ଉଦଯାପନୀ ଉତ୍ସବରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଏଥିରେ କୋରାପୁଟ ସାଂସଦ ଝୀନ ହିକକା, ବିଭାଗୀୟ ସଚିବ ରଘୁ ପ୍ରସାଦ ଓ ନୋଡ଼ାଲ ଅଧିକାରୀ ଡକ୍ଟର ଅଖବଳ ବିହାରୀ ଓତା ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ମେଳାରେ କୃତିତ୍ୱ ହାସଲ କରିଥିବା ବିଭିନ୍ନ ଷ୍ଟଲ ଓ ସଂସ୍ଥା ଗୁଡ଼ିକୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷ ସଂଧ୍ୟାରେ ସାଂସ୍କୃତିକ ଉତ୍ସବରେ ନୀଳଗିରିର ଆଦିବାସୀ କଳାକାରମାନେ ଭୂମଜ, ନବରଙ୍ଗପୁର କଳାକାରଙ୍କ ଦ୍ୱାରା ଗୋଣ୍ଡ, ଚମ୍ପୁଆ କଳାକାରଙ୍କ ହୋ ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କୁ ମୁଗ୍ଧ କରିଥିଲେ ।

Loading...
>