୬୫ଲକ୍ଷରେ ନିଲାମ ହେଲା ପଞ୍ଚାୟତ ସଭାପତି ଓ ଉପସଭାପତି ପଦ

ଚେନ୍ନାଇ : ତାମିଲନାଡୁରେ ଏକ ଅଜବ ଓ କୌତୁଳହପ୍ରଦ ଘଟଣା ଏବେ ସାମ୍ନାକୁ ଆସିଛି । ଟଙ୍କା ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦବୀକୁ ନିଲାମ କରିଦିଆଯାଇଛି । ଗୋଟିଏ ପଦବୀ ୫୦ଲକ୍ଷ ଟଙ୍କାରେ ନିଲାମ ହୋଇଥିବା ବେଳେ ଅନ୍ୟ ପଦବୀଟି ୧୫ଲକ୍ଷ ଟଙ୍କାରେ ବିକ୍ରୀ ହୋଇଛି । ଏଭଳି ସମ୍ବିଧାନିକ ବ୍ୟବସ୍ଥା ବିରୋଧୀ ଏବଂ ନିର୍ବାଚନ ନିୟମ ବିରୋଧୀ କାର୍ଯ୍ୟ ହୋଇଛି । ଏମିତି ଏକ ଘଟଣା ଘଟିଛି କୁଡାଲୋର ଜିଲ୍ଲାର ନାଦୁକୁପମ୍ ପଞ୍ଚାୟତରେ । ସୋମବାର ପଞ୍ଚାୟତରେ ଏକ ବୈଠକ ବସିଥିଲା । ଏଥିରେ ପଞ୍ଚାୟତର ପୂର୍ବତନ ସଭାପତି ତଥା ଆନାଡିଏମ୍କେ ନେତା ଆର୍ ଶକ୍ତିଭେଲ୍ ଓ ଡିଏମ୍କେ ନେତା ଏନ୍ ମୁରଗାନ୍ଙ୍କୁ ପୁନର୍ବାର ଯଥାକ୍ରମେ ସଭାପତି ଓ ଉପସଭାପତି ଭାବେ ନିର୍ବାଚିତ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା । ଗାଁରେ ଏକ ମନ୍ଦିର ନିର୍ମାଣ କରିବା ଲାଗି ପ୍ରଚୁର ଅର୍ଥର ଆବଶ୍ୟକତା ରହିଥିଲା । ଏହି ଅର୍ଥ ଯୋଗାଇ ଦେବା ଲାଗି ଉଭୟ ନେତା ପ୍ରସ୍ତାବ ଦେଇଥିଲେ । ଶକ୍ତିଭେଲ୍ ୫୦ଲକ୍ଷ ଟଙ୍କା ଦେବେ ବୋଲି ଘୋଷଣା କରିଥିବାବେଳେ ମୁରଗାନ ୧୫ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲେ । ଏହାପରେ ସେମାନଙ୍କୁ ନିର୍ବାଚିତ କରିବା ବା ସେମାନଙ୍କ କାର୍ଯ୍ୟକାଳକୁ ସଂପ୍ରସାରିତ କରିବା ସଂକ୍ରାନ୍ତ ପ୍ରସ୍ତାବଟି ଗୃହିତ ହୋଇଯାଇଥିଲା । ଗାଁ ମୁଖିଆ ଏହି ନିଷ୍ପତ୍ତି ସଂକ୍ରାନ୍ତ ପ୍ରସ୍ତାବ ପଢୁଥିବାର ଏକ ଭିଡିଓ ହ୍ୱାଟ୍ସଅପ୍ରେ ଭାଇରାଲ ହେବା ପରେ ତାହାକୁ ନେଇ ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି ହୋଇଛି । ଶ୍ରୀ ଦୌପଦୀଆମ୍ମାନ ମନ୍ଦିରର ପୁନର୍ବିନ୍ୟାସ ଓ ଉନ୍ନତିକରଣ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଗାଁ ମୁଖିଆ ଘୋଷଣା କରୁଥିବାର ଚିତ୍ର ଏହି ଭିଡିଓରେ ରହିଛି । ଏହାଦ୍ୱାରା ଗାଁର କଲ୍ୟାଣ ହେବ ବୋଲି ସେ କହିଛନ୍ତି । ତେବେ ପଞ୍ଚାୟତ ବୈଠକରେ ପଦବୀଗୁଡିକର ଏଭଳି ନିଲାମ ହେବା ଘଟଣାକୁ କେତେକ ରାଜନୈତିକ ଦଳ ସମାଲଚୋନା କରିଛନ୍ତି । ସେମାନେ କହିଛନ୍ତି ଯେ, ଏହାଦ୍ୱାରା ନିର୍ବାଚନ ନିୟମର ଉଲ୍ଲଂଘନ ହୋଇଛି । ଏହି ଦୁଇ ନେତା ଚଳିତ ମାସ ୧୫ ତାରିଖ ପୂର୍ବରୁ ପଞ୍ଚାୟତକୁ ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Loading...
>