ସାମ୍ବାଦିକଙ୍କ ଚିକିତ୍ସା ପାଇଁ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସାମ୍ବାଦିକଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଏହି କ୍ରମରେ ଢେଙ୍କାନାଳ ଜିଲ୍ଳାର ଜଣେ କର୍ମଜୀବୀ ସାମ୍ବାଦିକ ଆଦିତ୍ୟ ପଣ୍ଡାଙ୍କ ଚିକିତ୍ସା ଲାଗି ସେ ପ୍ରାରମ୍ଭିକ ସହାୟତା ଭାବେ ଦୁଇ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ପରାମର୍ଶଦାତା (ଗଣମାଧ୍ୟମ) ମାନସ ମଙ୍ଗରାଜ ଆଜି ଏହି ସହାୟତା ଅର୍ଥ ପ୍ରଦାନ କରିଛନ୍ତି । ଆଦିତ୍ୟ ଦୈନିକ ପ୍ରମେୟ ଖବରକାଗଜର ଢେଙ୍କାନାଳ ଜିଲ୍ଲା ପ୍ରତିନିଧି । ସେ ଦୀର୍ଘଦିନ ଧରି କିଡନୀ ରୋଗରେ ପୀଡ଼ିତ । ତାଙ୍କର ଦୁଇଟିଯାକ କିଡନୀ ଅକାମୀ ହୋଇଯାଇଛି । ତାଙ୍କ ଭଉଣୀ ତାଙ୍କୁ ଗୋଟିଏ କିଡନୀ ଦେବାକୁ ସହମତ ହୋଇଛନ୍ତି । ତେବେ ଏହାର ପ୍ରତିରୋପଣ ପାଇଁ ଦୁଇ ଲକ୍ଷ ଟଙ୍କା ଆବଶ୍ୟକ ଥିଲା । ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହାପରେ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଏହି ସହାୟତା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏଭଳି ନିର୍ଦ୍ଦେଶ ପରେ ଶ୍ରୀ ମଙ୍ଗରାଜ ସାମ୍ବାଦିକ ଆଦିତ୍ୟଙ୍କୁ ପ୍ରାରମ୍ଭିକ ସହାୟତା ଆକାରରେ ଏହି ପରିମାଣର ଅର୍ଥ ପ୍ରଦାନ କରିଛନ୍ତି । ସାମ୍ବାଦିକତା କ୍ଷେତ୍ର ସହିତ ମାନସ ମଙ୍ଗରାଜଙ୍କର ବହୁଦିନ ଧରି ସଂପର୍କ ରହିଛି । ସାମ୍ବାଦିକମାନଙ୍କ ସହିତ ମଧ୍ୟ ତାଙ୍କର ସୁସମ୍ପର୍କ ଜାରି ରହିଛି । ସାମ୍ବାଦିକମାନଙ୍କ ପ୍ରତି ତାଙ୍କର ରହିଥିବା ସହୃଦୟତାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଚିକିତ୍ସା ପାଇଁ ଆର୍ଥିକ ସହାୟତା ମିଳିଥିବାରୁ ଆଦିତ୍ୟ ରାଜ୍ୟ ସରକାରଙ୍କୁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି ।

Loading...
>