‘ମୋ ବସ୍‌’କୁ ଦେଶର ଶ୍ରେଷ୍ଠ ସିଟି ବସ୍‌ ସେବା ସମ୍ମାନ

ଭୁବନେଶ୍ୱର : ‘ମୋ ବସ୍‌’ ଭାରତର ଶ୍ରେଷ୍ଠ ସିଟି ବସ୍‌ ସେବା ଭାବେ ପୁରସ୍କୃତ ହୋଇଛି। ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଚାଲିଥିବା ଅର୍ବାନ ମୋବିଲିଟି ଇଣ୍ଡିଆ (ୟୁଏମ୍‌ଆଇ) କନଫରେନ୍ସର ଦ୍ୱିତୀୟ ଦିନରେ ମୋ ବସ୍‌କୁ ଏହି ପୁରସ୍କାର ମିଳିଛି। ବସ୍‌ ସେବା ଯୋଗାଉଥିବା କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ପୁରସ୍କାର ଗ୍ରହଣ କରିଛନ୍ତି।
ୟୁଏମ୍‌ଆଇର ଉଦ୍‌ଘାଟନୀ ସମାରୋହରେ ‘ମୋ ବସ୍‌’ ସେବା ଉଚ୍ଚ ପ୍ରଶଂସିତ ହୋଇଥିଲା। ବାତ୍ୟା ‘ଫନୀ’ ପରେ ଯେଭଳି ମୋ’ବସ୍‌ ଦୈନିକ ୧ଲକ୍ଷ ପାସେଞ୍ଜରଙ୍କ ବିଶ୍ୱାସଭାଜନ ହୋଇପାରିଛି ଏହା ବାହାର ରାଜ୍ୟର ସିଟିବସ୍‌ ସେବା ଯୋଗାଉଥିବା ସଂସ୍ଥାଗୁଡ଼ିକ ପାଇଁ ଉଦାହରଣ ପାଲଟିଛି ବୋଲି ମତପ୍ରକାଶ ପାଇଥିଲା। ରବିବାର ଦେଶର ସମସ୍ତ ସିଟି ବସ୍‌ ସେବାକୁ ପଛରେ ପକାଇ ‘ମୋ ବସ୍‌’ ଏହି ସମ୍ମାନର ହକ୍‌ଦାର ହୋଇପାରିଛି। ଏହା କ୍ରୁଟ୍‌ର ବଡ଼ ସଫଳତା ଓ ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ପରିଚାଳନା ନିର୍ଦ୍ଦେଶକ ବୋଥ୍ରା।
ଉଲ୍ଲେଖଯୋଗ୍ୟ, ୟୁଏମ୍‌ଆଇ କନ୍‌ଫରେନ୍ସରେ ଦେଶର ୪୫ରୁ ଊର୍ଦ୍ଧ୍ୱ ମହାନଗରର ବିଭିନ୍ନ ଅଧିକାରୀଙ୍କୁ କ୍ରୁଟ୍‌ ମଡେଲକୁ ନିଜ ରାଜ୍ୟରେ ଅନୁକରଣ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ଏଥିରେ କ୍ରୁଟ୍‌ ସମେତ ବିଭିନ୍ନ ରାଜ୍ୟରୁ ୧୦୦୦ରୁ ଊର୍ଦ୍ଧ୍ୱ ପ୍ରତିନିଧି ଓ ଏଥିସହ ସମ୍ପୃକ୍ତ ଅଧିକାରୀ ଯୋଗଦେଇଥିଲେ।

Loading...
>