ମୃତ ଘୋଷିତ ଯୁବକ ୫ ମାସ ପରେ ଫେରିଲେ, ପୁଲିସ ତଦନ୍ତ ଉପରେ ପ୍ରଶ୍ନବାଚୀ

ପାଟନା: ବିହାରରେ ଜଣେ ଯୁବକ ମୃତ୍ୟୁର ୫ ମାସ ପରେ ଘରକୁ ଫେରିଛନ୍ତି। ତାଙ୍କର ମୃତ୍ୟୁ ଘଟିଥିବାରୁ ସ୍ତ୍ରୀ କରଜ କରି ଶ୍ରାଦ୍ଧ କରିଥିଲେ। ଯୁବକ ଘରକୁ ଫେରିବାରୁ ସ୍ଥାନୀୟ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି। ନୌବତପୁରର ନିସରାପୁର ଗାଁର କୃଷ୍ଣା ମାଂଝି ନାମକ ଜଣେ ଯୁବକଙ୍କର ଭିଡ଼ହିଂସାରେ ମୃତ୍ୟୁ ଘଟିଥିଲା। ପୋଲିସ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଇ ୨୩ ଅଭିଯୁକ୍ତଙ୍କୁ ୩ ମାସ ତଳେ ଜେଲ୍‌ ପଠାଯାଇଥିଲା। ଅଭିଯୁକ୍ତମାନେ ଚୋର ଭାବି ଯୁବକଙ୍କୁ ହତ୍ୟା କରିଥିଲେ। ପୋଲିସ କୃଷ୍ଣଙ୍କ ସ୍ତ୍ରୀଙ୍କୁ ଥାନାକୁ ନେଇ ଏକ ମୃତଦେହ ଦେଖାଇ ତାହା ତାଙ୍କ ସ୍ବାମୀଙ୍କର ବୋଲି କହିଥିଲେ। ମୃତ ଯୁବକଙ୍କ ହାତରେ କୃଷ୍ଣ ମାଂଝି ଲେଖାଥିଲା। ତେବେ ମୃତ ଦେହର ମୁହଁ କ୍ଷତବିକ୍ଷତ ହୋଇଯାଇଥିବାରୁ ଚିହ୍ନିବା କଷ୍ଟକର ହୋଇଥିଲା। କେବଳ ହାତରେ ଲେଖାଥିବା ନାମକୁ ଦେଖି କୃଷ୍ଣ ମୃତ ବୋଲି ସ୍ତ୍ରୀ ମାନିନେଇଥିଲେ। ଏବେ ପ୍ରକୃତ କୃଷ୍ଣ ଫେରିଆସିବାରୁ ଘରେ ଖୁସିର ଲହର ଖେଳି ଯାଇଛି। ମାତ୍ର ପୋଲିସ ବିଭାଗ ହରଡ଼ଘଣାରେ ପଡ଼ିଛି। ମୃତ ଯୁବକ କିଏ ସେ ନେଇ ଆରମ୍ଭ ହୋଇଛି ଖୋଳତାଡ଼। ପୋଲିସ ବିଭାଗ ପକ୍ଷରୁ ତଦନ୍ତ ସମୟରେ ହୋଇଥିବା ସିସିଟିଭି ଭିଡ଼ିଓର ଯାଞ୍ଚ୍‌ କରାଯାଉଛି ବୋଲି ସ୍ଥାନୀୟ ଥାନା ଅଧିକାରୀ ସମ୍ରାଟ୍‌ ଦୀପକ କହିଛନ୍ତି।

Loading...
>