ଭୟଙ୍କର ହେଉଛି ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ଆହୁରି ଭୟଙ୍କର ହୋଇଉଠିଛି । ସମଗ୍ର ଦିଲ୍ଲୀ ବର୍ତ୍ତମାନ ବିଷାକ୍ତ ବାୟୁ ବଳୟରେ । ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୬୦୦ ଅତିକ୍ରମ କରିଛି । ଆଗକୁ ଏହା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ପୂର୍ବରୁ ଦିଲ୍ଲୀର ସମସ୍ତ ସ୍କୁଲକୁ ନଭେମ୍ବର ୫ ଯାଏଁ ଛୁଟି ଘୋଷଣା କରାଯାଇସାରିଥିବା ବେଳେ ଏବେ ନୋଏଡା ଓ ଗାଜିଆବାଦରେ ମଧ୍ୟ ସ୍କୁଲଗୁଡ଼ିକୁ ୫ ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି । ବାୟୁ ପ୍ରଦୂଷଣ ଯୋଗୁଁ ବହୁ ଲୋକ ଅସୁସ୍ଥ ହୋଇ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ଏମ୍ସରେ ପ୍ରଦୂଷଣ ଜନିତ ରୋଗୀ ସଂଖ୍ୟା ୨୦ ପ୍ରତିଶତ ଟପିଛି । ଶନିବାର ସନ୍ଧ୍ୟା, ରବିବାର ସକାଳ ସମୟରେ ଦିଲ୍ଲୀରେ ସାମାନ୍ୟ ବର୍ଷା ହୋଇଥିଲା । ତେବେ ଏହା ପ୍ରଦୂଷଣକୁ କମାଇବାରେ ସହାୟକ ହୋଇନାହିଁ । ଦିଲ୍ଲୀର ଅନ୍ୟ ଏକ ସ୍ଥାନରେ ବାୟୁର ଗୁଣବତ୍ତା ସୂଚକାଙ୍କ ୯୦୦ ଅତକ୍ରମ କରିଥିବା ଜଣାପଡ଼ିଛି । ଗୌତମ ବୁଦ୍ଧ ନଗର ଓ ଗାଜିଆ ବାଦରେ ମଧ୍ୟ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି । ତେଣୁ ମଙ୍ଗଳବାର ଯାଏଁ ସରକାରୀ ଓ ବେସରକାରୀ ସ୍କୁଲଗୁଡ଼ିକୁ ବନ୍ଦ ରଖିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ନୋଏଡ଼ା, ଗାଜିଆବାଦ ଏବଂ ଏହାର ଆଖପାଖ ଅଞ୍ଚଳରେ ରବିବାର ଏକ ନିର୍ଦ୍ଦିଷ୍ଟ ସମୟରେ ଏକ୍ୟୁଆଇ ପ୍ରାୟ ୧୬୦୦ରେ ପହଞ୍ଚିଥିଲା । ଯାନବାହନର ଧୂଆଁ ସାଙ୍ଗକୁ ଦୀପାବଳିରେ ବାଣଫୁଟା ଏବଂ ପଡୋଶୀ ରାଜ୍ୟରେ ବ୍ୟାପକ ଭାବେ ନଡ଼ା ପୋଡ଼ିବା ଯୋଗୁଁ ଏଭଳି ଭୟଙ୍କର ସମସ୍ୟା ଦେଖାଦେଇଛି । ଏଥିଯୋଗୁଁ ବିମାନ ସେବା ବ୍ୟାହତ ହୋଇଛି । ୩୨ଟି ବିମାନର ଦିଗ ପରିବର୍ତ୍ତନ କରାଯାଇଥିବା ବେଳେ ଆଉ କେତେକ ବିମାନର ଉଡ଼ାଣକୁ ସାମୟିକ ଭାବେ ବନ୍ଦ ରଖାଯାଇଛି । ବାୟୁ ପ୍ରଦୂଷଣ ଯୋଗୁଁ ଦିଲ୍ଲୀକୁ ପର୍ଯ୍ୟଟକ ଆସିବା ମଧ୍ୟ କମିଯାଇଛି । ତାଜମହଲ ଅଞ୍ଚଳରେ ମଧ୍ୟ ପ୍ରଦୂଷଣ ପ୍ରଭାବ ପଡ଼ିଛି । ସାଧାରଣତଃ ଏହି ସମୟରେ ପର୍ଯ୍ୟଟକମାନେ ଦିଲ୍ଲୀକୁ ତଥା ଆଗ୍ରାକୁ ଅଧିକ ସଂଖ୍ୟାରେ ଆସିଥାନ୍ତି; କିନ୍ତୁ ଏଭଳି ପରିସ୍ଥିତି ଯୋଗୁଁ ପର୍ଯ୍ୟଟକମାନେ ଆସିବାକୁ ଭୟ କରୁଛନ୍ତି । ରାତି ତ ଅଲଗା କଥା, ଦିନ ବେଳା ମଧ୍ୟ ଗାଡ଼ି ଚଳାଚଳ ଅସମ୍ଭବ ହୋଇପଡ଼ିଛି । ଦିନରେ ଗାଡ଼ିଗୁଡ଼ିକ ଆଲୁଅ ଲଗାଇ ଚଳପ୍ରଚଳ କରୁଛନ୍ତି । ଲୋକମାନେ ମାସ୍କ୍ ଲଗାଇ ଯାଉଥିଲେ ମଧ୍ୟ ଅସୁସ୍ଥ ଅନୁଭବ କରୁଛନ୍ତି ।

Loading...
>