ଫିକା ପଡୁଛି ମୋଦି ଲହରୀ: ୨ବର୍ଷ ୭ ରାଜ୍ୟ ହରାଇଲାଣି ବିଜେପି

ନୂଆଦିଲ୍ଲୀ : କଂଗ୍ରେସ ମୁକ୍ତ ସ୍ଲୋଗାନ ଦେଇ ଦ୍ୱିତୀୟ ଥର ପାଇଁ ଦେଶରେ କ୍ଷମତା ଦଖଲ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାଟତି ରାଜ୍ୟଗୁଡିକରେ କମି କମି ଯାଉଥିବା ଦେଖିବାକୁ ମିଳୁଛି । ମୋଦି ଲହରୀ ଏବେ ଫିକା ପଡୁଥିବା ଲକ୍ଷ୍ୟ କରାଯାଉଛି । ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ଗତ ୨ ବର୍ଷରେ ୭ଟି ରାଜ୍ୟରେ କ୍ଷମତା ହରାଇଲାଣି । ଗତ ନିର୍ବାଚନରେ ଦିଲ୍ଲୀରେ ୩ ଆସନ ଜିତିଥିବା ବିଜେପି ଚଳିତ ନିର୍ବାଚନରେ ଭଲ ପ୍ରଦର୍ଶନ କରି କ୍ଷମତା ଦଖଲ କରିବ ବୋଲି ଦିଲ୍ଲୀ ପ୍ରଦେଶ ବିଜେପି ଅଧ୍ୟକ୍ଷ ମନୋଜ ତିୱାରିଙ୍କ ସମେତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପୂର୍ବତନ ଅଧ୍ୟକ୍ଷ ଅମିତ ଶାହ ଆଶା ରଖିଥିଲେ । କିନ୍ତୁ କେବଳ ୮ଟି ଆସନରେ ଏହି ଦଳକୁ ସନ୍ତୁଷ୍ଟ ହେବାକୁ ପଡିଛି । ଦଳ ଅନୁମାନ କରିଥିଲା ଯେ, ପାଖାପାଖି ୪୫ଟି ଆସନରେ ବିଜୟୀ ହୋଇ ଦିଲ୍ଲୀରେ ସରକାର ଗଠନ କରିବ । କିନ୍ତୁ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା । ଏହା ସହ କଂଗ୍ରେସ ମୁକ୍ତ ଭାରତ ସ୍ୱପ୍ନ ମଧ୍ୟ ଚୁରମାର ହେବାକୁ ବସିଲାଣି । ଦିଲ୍ଲୀ ସମେତ ୧୨ଟି ରାଜ୍ୟରେ ଏବେବି ବିଜେପି ବିରୋଧୀ ସରକାର ଅଛି । ବିଜେପି ମେଣ୍ଟ ୧୬ଟି ରାଜ୍ୟରେ ସରକାର ରହିଛି । ଗତବର୍ଷ ହରିୟାଣା ନିର୍ବାଚନରେ ଦଳକୁ ସ୍ପଷ୍ଟ ବହୁମତ ନ ମିଳିବାରୁ ନବଗଠିତ ଦୁଷ୍ୟାନ୍ତ ଚୌଟଲଙ୍କ ଦଳ ଜେଜେପି ସହ ମେଣ୍ଟ କରି ନିଜର ଇଜ୍ଜିତ ବିଜେପି ବଞ୍ଚାଇ ଦେଇଥିଲା । କଂଗ୍ରେସ ନିଜେ ଓ ଗଠବନ୍ଧନ କରି ମହାରାଷ୍ଟ୍ର, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ପଞ୍ଜାବ, ଝାରଖଣ୍ଡ ଏବଂ ପଣ୍ଡୁଚେରୀରେ ସରକାର ଗଠନ କରିଛି । ୨୦୧୯ ଡିସେମ୍ବରରେ ହୋଇଥିବା ଝାରଖଣ୍ଡରେ ସରକାର ଗଠନ କରିବା ପରେ କଂଗ୍ରେସ ମେଣ୍ଟ ସରକାର ଏବେ ୭ ରାଜ୍ୟରେ ରହିଛି ।
ଦିଲ୍ଲୀରେ ଆମ୍ ଆଦ୍‌ମୀ ପାର୍ଟି ଲଗାତାର ତୃତୀୟ ଥର ପାଇଁ ବିଜୟ ହାସଲ କରିଛି । ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ, କେରଳରେ ମାକପା ନେତୃତ୍ୱଧୀନ ମେଣ୍ଟ ସରକାର, ଅନ୍ଧ୍ରପ୍ରଦେଶରେ ୱାଇଏସ୍‌ଆର୍ କଂଗ୍ରେସ. ଓଡିଶାରେ ବିଜେଡି ଏବଂ ତେଲେଙ୍ଗାନାରେ ଟିଆର୍‌ଏସ୍ ସରକାର ରହିଛି । ଆଉ ଗୋଟିଏ ରାଜ୍ୟ ତାମିଲନାଡୁରେ ଯେଉଁ ବିଜେପି ଆଇଏଡିଏମ୍‌କେ ସହ ଲୋକସଭା ନିର୍ବାଚନ ଲଢିଥିଲା ସତ କିନ୍ତୁ ରାଜ୍ୟରେ ବିଜେପିର ଜଣେ ବିଧାୟକ ନଥିବାରୁ ଏହା ସରକାରରେ ସାମିଲ ହୋଇପାରିନାହିଁ । ସୂଚନାଯୋଗ୍ୟ ୨୦୧୭ ଡିସେମ୍ବର ବେଳକୁ ବିଜେପିର ସ୍ଥିତି ସୁଦୃଢ ଥିଲା । ସେହିପରି ବିଜେପି ଓ ତା\’ର ସହଯୋଗୀ ଦଳଙ୍କ ହାତରେ ୧୯ଟି ରାଜ୍ୟ ଥିଲା । ଦଳ ଗୋଟିଏ ବର୍ଷରେ ୩ ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡରେ କ୍ଷମତା ହରାଇଥିଲା । ଚତୁର୍ଥ ରାଜ୍ୟ ଆନ୍ଧ୍ରପ୍ରଦେଶ ଯେଉଁଠି ବିଜେପି-ଟିଡିପି ମେଣ୍ଟ ସରକାର ଥିଲା । ୨୦୧୮ ମାର୍ଚ୍ଚରେ ଟିଡିପି ବିଜେପି ସହ ଗଠବନ୍ଧନ ଭାଙ୍ଗି ଦେଇଥିଲା । ୨୦୧୯ ବିଧାନସଭା ନିର୍ବାଚନରେ ଆନ୍ଧ୍ରପ୍ରଦେଶରେ ୱାଇଏସ୍‌ଆର୍ କଂଗ୍ରେସ ସରକାର ଗଠନ କରିଥିଲା ।

Loading...
>