ପୁଣି ଅଡୁଆରେ ଅନୁଭବ

ଭୁବନେଶ୍ୱର: ମାତ୍ର କିଛି ଦିନ ପୂର୍ବରୁ ରାଜ୍ୟ ସରକାରଙ୍କର କ୍ୟାବିନେଟ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ତାଙ୍କର ଅଂଚଳର ଜଣେ ଯୁବ ଆଇନଜିବୀ ତଳକୋର୍ଟରୁ ହାଇକୋର୍ଟ ପର୍ଯ୍ୟନ୍ତ ନ୍ୟାୟ ପାଇଁ ଦୌଡିବା ପରେ ମନ୍ତ୍ରୀ ଶ୍ରୀ ବେହେରାଙ୍କର ସତ୍ୟପାଠର ଯାଞ୍ଚ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ନେଇ ରାଜନୈତିକ ମହଲରେ ହଲଚଲ୍ ସୃଷ୍ଟି ହେବା ପରେ ସମ୍ବାଦପତ୍ରଗୁଡିକରେ ଏହା ପ୍ରଥମ ସ୍ଥାନ ମଣ୍ଡନ କରିଥିଲା । ଏଭଳି ସ୍ଥିତିରେ ବିଜେଡିର ପ୍ରଭାବୀ ସାଂସଦ ଅନୁଭବ ମହାନ୍ତିଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଆଜି କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଉଠାଇଛନ୍ତି । କେନ୍ଦ୍ରପଡା ସାଂସଦ ଶ୍ରୀ ମହାନ୍ତିଙ୍କ ଅଭିଯୋଗରେ କଂଗ୍ରେସ ନେତା ତଥା ଯୁବ ଆଇନଜିବୀ ନିିଶିକାନ୍ତ ମିଶ୍ର ତଥ୍ୟ ପ୍ରମାଣ ଦେଖାଇ ଅନୁଭବଙ୍କ ଗ୍ରାଜୁଏସନର ଜାଲ୍ ସାର୍ଟିଫିକେଟ ଉପରେ ତଦନ୍ତ ଦାବି କରିଛନ୍ତି । ସେ କହିଛନ୍ତି ନିଜର ଶିକ୍ଷାଗତ ଯୋଗ୍ୟତାକୁ ଲୁଚାଇବାକୁ ସାମ୍ବିଧାନିକ ବିଧିବ୍ୟବସ୍ଥା କଟକଣା ଥିବା ସତ୍ତ୍ୱେ ଜଣେ ସାଂସଦ କେତେ ନିଚସ୍ତରକୁ ଆସିଯାଇଛନ୍ତି ତାହା ଏଠାରେ ଦେଖିବାର ଅଛି । ସେ ପୁଣି କହିଛନ୍ତି ସୂଚନା ଅଧିକାର ଆଇନ୍‌କୁ ଆଧାର କରି ଯାହା ତଥ୍ୟ ସଂଗୃହୀତ ହୋଇଛି, ରାଜ୍ୟ ସରକାର ତଥା ବିଜୁ ଜନତା ଦଳ ଯାହାକୁ ‘ତାରକା ପ୍ରଚାରକ’ ଭାବରେ ପ୍ରଚାର ମୈଦାନକୁ ଛାଡିଛନ୍ତି, ସେ ମହାଶୟ (ଅନୁଭବ ମହାନ୍ତି) ୨୦୧୪ ମସିହା ରାଜ୍ୟସଭା ନିର୍ବାଚନ ସମୟରେ ତାଙ୍କ ସତ୍ୟପାଠରେ ଶୋଭିତ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି, ମିରଟରୁ ବି.ଏ. ଇନ୍ ଆର୍ଟସ୍‌, ପବ୍ଲିକ୍ ଆଡମିନ୍‌ଷ୍ଟ୍ରେସନ ଶିକ୍ଷାଗତ ଯୋଗ୍ୟତା ବୋଲି ଦର୍ଶାଇଛନ୍ତି । ଯାହା ବାସ୍ତବ ଚିତ୍ର ଠାରୁ ସଂପୂର୍ଣ୍ଣ ଭିନ୍ନ । ଏବେ ମଧ୍ୟ ସଂପୃକ୍ତ ସାଂସଦ କଟକ କନ୍ଦରପୁର କଲେଜର +୩ ଛାତ୍ର । ଯାହାର ରେଜିଷ୍ଟ୍ରେସନ୍ ନଂ – ୧୪୧୦୮/୨୦୦୩ । ଯାହା ସୂଚନା ଅଧିକାର ଆଇନ୍ ଦ୍ୱାରା ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ସଂଗ୍ରହ କରାଯାଇଅଛି । ଖାଲି ସେତିକି ନୁହେଁ ଉକ୍ତ ରେଜିଷ୍ଟ୍ରେସନ୍ ନମ୍ବରରେ କୌଣସି ମାଇଗ୍ରେସନ୍ ସାର୍ଟିଫିକେଟ୍ ଇସ୍ୟୁ କରାଯାଇନାହିଁ ବୋଲି ମଧ୍ୟ ଉତ୍କଳ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ପ୍ରକାଶ । ଏପରି ମଧ୍ୟ ଯେଉଁ ଶୋଭିତ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି, ମିରଟରୁ ସାଂସଦ ବି.ଏ. ଇନ୍ ଆର୍ଟସ୍‌, ପବ୍ଲିକ୍ ଆଡମିନ୍‌ଷ୍ଟ୍ରେସନ ପାସ୍ କରିଛନ୍ତି ବୋଲି କହୁଛନ୍ତି, ବାସ୍ତବତା ହେଲା ଯେ ୨୦୧୦ ମସିହାରେ ଭାରତ ସରକାର ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କ ନିକଟରେ ସତ୍ୟପାଠ ମାଧ୍ୟମରେ ସଂପୃକ୍ତ ୟୁନିଭରସିଟିର ସ୍ୱୀକୃତି ପ୍ରତ୍ୟାହାର କରାଯାଇଛି ବୋଲି ଦର୍ଶାଇଥିଲେ ।
ବିଶ୍ୱ ବିଦ୍ୟାଳୟରୁ ଜାଲି ସାର୍ଟିଫିକେଟ୍ ନେଇଥିବା ସାଂସଦ ଭାରତବର୍ଷ ଲ’ମେକର । ସରକାର ତୁରନ୍ତ ମାମଲା ରୁଜୁ କରି ପଦକ୍ଷେପ ନିଅନ୍ତୁ । ଏହା କେବଳ କେନ୍ଦ୍ରାପଡା ପାଇଁ ଲଜ୍ଜା ନୁହେଁ, ଏହା ସମଗ୍ର ରାଜ୍ୟ ପାଇଁ ଲଜ୍ଜା । ନିଜର ସାଧୁତା ଓ ସ୍ୱଚ୍ଛତା ନେଇ ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ଅଦାଲତର ଛାଟ ପଡିବା ପୂର୍ବରୁ ନବୀନ ବାବୁ ଏବଂ ତାଙ୍କ ସରକାରଙ୍କର ଯଦି ଟିକେ ବି ମୂଲ୍ୟବୋଧ ଥାଏ, ତାହେଲେ ଜାଲି ନେତାମାନଙ୍କୁ ତୁରନ୍ତ ଜେଲକୁ ନିଅନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି ନଚେତ୍ କଂଗ୍ରେସ ଏହାକୁ ନେଇ ଉପରସ୍ତରକୁ ଯିବ । ଏହି ଖୁଲାସା କାର୍ଯ୍ୟକ୍ରମରେ କଂଗ୍ରେସ ନେତା ଜିନେଶ ଦାସ, ଜ୍ଞାନଦେବ ବେହୁରା, ମନୋରଞ୍ଜନ ଦାଶ, ରଜନୀ କୁମାର ମହାନ୍ତି, ମାନସ ମଲ୍ଲିକ, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Loading...
>