ଜିଏସଟି ରାଜସ୍ୱ ୧ ଲକ୍ଷ କୋଟି ଟପିଲା

ନୂଆଦିଲ୍ଲୀ: ନଭେମ୍ବରରେ ଦେଶରେ ଦ୍ରବ୍ୟ ଓ ସେବା କର (ଜିଏସ୍ଟି) ରାଜସ୍ୱ ସଂଗ୍ରହ ଏକ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ତିନି ମାସର ବ୍ୟବଧାନ ପରେ ଗତମାସରେ ଜିଏସ୍ଟି ରାଜସ୍ୱ ଏହି ସ୍ତରରେ ପହଞ୍ଚିବା ଏକ ଉଲ୍ଲେଖନୀୟ ଘଟଣା । ଏହା ପୂର୍ବରୁ ଦୁଇ ମାସ ଧରି ଏହି ରାଜସ୍ୱ ଅଭିବୃଦ୍ଧି ମାନ୍ଦା ଥିଲା । କିନ୍ତୁ ବର୍ତ୍ତମାନ ଏଥିରେ ଛଅ ପ୍ରତିଶତ ବୃଦ୍ଧି ପାଇ ୧.୦୩ ଲକ୍ଷ କୋଟିରେ ପହଞ୍ଚିଛି । ଅକ୍ଟୋବର ମାସରେ ଜିଏସ୍ଟି ଆଦାୟ ୯୫ ହଜାର ୩୮୦ କୋଟି ଟଙ୍କା ଥିଲା ବେଳେ ନଭେମ୍ବରରେ ଥିଲା ୯୭ ହଜାର ୬୩୭ କୋଟି ଟଙ୍କା । ନଭେମ୍ବରରେ ମୋଟ ରାଜସ୍ୱ ସଂଗ୍ରହ ୧,୦୩,୪୯୨ କୋଟି ଟଙ୍କାରେ ପହଞ୍ଚିଛି । ସେ କହିଛନ୍ତି ଯେ, ସିଜିଏସ୍ଟି ସଂଗ୍ରହ ୧୯ ହଜାର ୫୯୨ କୋଟି ଟଙ୍କା ହୋଇଥିବା ବେଳେ ଏସ୍ଜିଏସ୍ଟିରୁ ୨୭ ହଜାର ୧୪୪ କୋଟି ଟଙ୍କା ମିଳିଛି । ସେହିପରି ଆଜିଏସ୍ଟି ସଂଗ୍ରହ ପରିମାଣ ୪୯,୦୨୮ କୋଟି ଟଙ୍କା ରହିଛି । ସେସ୍ ବାବଦରୁ ୭,୭୨୭ କୋଟି ଟଙ୍କା ଆଦାୟ ହୋଇଛି । ଘରୋଇ ନେଣଦେଣ ଉପରେ ଜିଏସ୍ଟି ସଂଗ୍ରହରେ ୧୨ ପ୍ରତିଶତ ବୃଦ୍ଧି ଘଟିଛି । ଯାହାକି ଚଳିତ ବର୍ଷରେ ସର୍ବାଧିକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା ଜିଏସ୍ଟି ପ୍ରଚଳନ ହେବା ପରଠୁ ମାସିକ ସଂଗ୍ରହ ୧ ଲକ୍ଷ କୋଟି ଟଙ୍କା ସ୍ପର୍ଶ କରିଛି । ୨୦୧୭ ଜୁଲାଇରେ ଏହି ରାଜସ୍ୱ ବ୍ୟବସ୍ଥା ଲାଗୁ ହୋଇଥିଲା ।

Loading...
>