ନିର୍ମାଣ ହେବ ପାରିକରଙ୍କ ବାୟୋପିକ୍‌

ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ଥିବା ସ୍ବର୍ଗତଃ ମନୋହର ପାରିକରଙ୍କ ଜୀବନିକୁ ନେଇ ଖୁବ୍‌ଶୀଘ୍ର ଏକ ଫିଲ୍ମ ନିର୍ମାଣ କରାଯିବ। ଏଥିପାଇଁ ପାରିକରଙ୍କ ପୁଅ ଉତ୍ପଳ ପାରିକର ମଞ୍ଜୁରୀ ଦେବା ସହ ଏକ ଏଗ୍ରିମେଣ୍ଟ ସାଇନ୍‌ ମଧ୍ୟ କରିଥିବା ଜଣାପଡିଛି। ଫିଲ୍ମର ନିର୍ମାଣ ଗୋ ଗୋଆ ଗଲିଉଡ ପ୍ରଡକସନ୍‌ ପକ୍ଷରୁ କରାଯିବ। ପ୍ରଡକସନ୍‌ ହାଉସ୍‌ ଉତ୍ପଳଙ୍କ ସହ ଲିଗାଲ ରାଇଟସ୍‌କୁ ନେଇ କଥା ହୋଇଥିବା କୁହାଯାଏ। ସୂଚନା ଅନୁଯାୟୀ ଆସନ୍ତା ବର୍ଷ ଡିସେମ୍ବର ୧୩ ଅର୍ଥାତ୍‌ ମନୋହର ପାରିକରଙ୍କ ଜନ୍ମଦିନରେ ଏହା ରିଲିଜ୍‌ କରାଯିବାର ଯୋଜନା କରାଯାଇଛି। ମେକର୍ସଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ସୂଚନା ଅନୁଯାୟୀ ଫିଲ୍ମଟି ଉଭୟ ହିନ୍ଦୀ ଓ କୋଙ୍କଣୀ ଭାଷାରେ ରିଲିଜ୍‌ କରାଯିବ। ସୂଚନାଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚ ୧୭ରେ ପାରିକରଙ୍କ ମୃତ୍ୟୁ ହୋଇଛି। ସେ ଦୀର୍ଘଦିନ ଧରି କ୍ୟାନସରରେ ପୀଡିତ ଥିଲେ। ପିଟିଆଇକୁ ସୂଚନା ଦେଇ ଫିଲ୍ମର ପ୍ରଯୋଜକ ସ୍ବପ୍ନିଲ ଶେତକର କହିଛନ୍ତି ଏଥିରେ ପାରିକରଙ୍କ ରାଜନୈତିକ ଓ ନିଜସ୍ବ ଜୀବନ ଉପରେ ଗରୁତ୍ୱ ଦିଆଯିବ। ପାରିକର ପ୍ରତିରକ୍ଷା ମନ୍ତ୍ରୀ ଥିବା ସମୟରୁ ଏହି ଫିଲ୍ମର କାମ ଆରମ୍ଭ ହୋଇଥିବା ସେ କହିଛନ୍ତି।

Loading...
>