ଶିବରାତ୍ରିର ଶିବତତ୍ତ୍ୱ

ଦେବ ଦେବ ମହାଦେବଙ୍କୁ ସ୍ମରଣ କଲେ ଆମ୍ଭମାନଙ୍କ ମାନସପଟରେ ଏକ ରଜତଗିରିନିଭ ଅର୍ଥ ଶୁଭ୍ରବର୍ଣ୍ଣର ମୂର୍ତ୍ତି ଉଦୟ ହୁଏ, ଯିଏ ଯୋଗାସନରେ ଉପବିଷ୍ଟ, ବାଘ ଚମଡ଼ା ପରିହିତ, ତ୍ରିଶୂଳ ଓ ଡମ୍ବରୁଧାରୀ, ଗଳାରେ ସାପ ଇତ୍ୟାଦି । କିନ୍ତୁ ବାସ୍ତବରେ ଏଭଳି ଜଣେ ମନୁଷ୍ୟ ଦେଖାଯାଆନ୍ତି ନାହିଁ । ପୌରାଣିକ ସକଳ ବ୍ୟକ୍ତିଙ୍କର ବାସ୍ତବ ଅସ୍ତିତ୍ୱ ଥିଲାବୋଲି ପରମ ପ୍ରେମମୟ ଯୁଗାବତାର ଭଗବାନ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ମତବ୍ୟକ୍ତ କରିଛନ୍ତି । ସେମାନେ ଏହି ଦୁନିଆରେ ବସବାସ କରୁଥିଲେ । ପରବର୍ତ୍ତୀ କାଳରେ ଇଷ୍ଟପ୍ରଦତ୍ତ ସାଧନା ବଳରେ ସେମାନେ ଦେବତାରେ ରୂପାନ୍ତରିତ ହୋଇଛନ୍ତି । ଯୁଗପୁରୁଷ ଶ୍ରୀ ଶ୍ରୀ ଠାକୁର ପୁଣି କହିଛନ୍ତି – “ଦିବ୍’ ଧାତୁ (ଦୀପ୍ତି) ଠାରୁ ଦେବତା ଶବ୍ଦର ଉତ୍ପତ୍ତି । ଇଷ୍ଟାନୁଗ ସାଧନା, କର୍ମ ଓ ଲୋକସେବା ଭିତର ଦେଇ ଯେଉଁମାନେ ଦୀପ୍ତିମାନ ଚରିତ୍ରର ଅଧିକାରୀ ହୋଇଠନ୍ତି ସେମାନେ ଦେବତା ଭାବରେ ପରିଗଣିତ ହୋଇଛନ୍ତି । ସତ୍ସଙ୍ଗର ପ୍ରାଣପୁରୁଷ ଯୁଗପୁରୁଷୋତ୍ତମ ଭଗବାନ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଦେଓଘର ଠାକୁର ବଙ୍ଗଳା ସମ୍ମୁଖରେ ଖୋଲା ପ୍ରାଙ୍ଗଣରେ ଏକ କୃଷ୍ଣପକ୍ଷ ରାତ୍ରିରେ ଆକାଶକୁ ଅନାଇ ବିଭିନ୍ନ ଗ୍ରହ ନକ୍ଷତ୍ର ଓ ସେମାନଙ୍କର କ୍ରିୟା ଓ ଅବସ୍ଥିତି ସମ୍ବନ୍ଧରେ ସମବେତ ଭକ୍ତ ମାନଙ୍କୁ ବୁଝାଇ ଆକାଶର ଏକ ପ୍ରାନ୍ତରୁ ଅପର ପ୍ରାନ୍ତ ପର୍ଯ୍ୟନ୍ତ ବିସ୍ତୃତ ଶ୍ୱେତବର୍ଣ୍ଣ ଛାୟାପଥ ଦେଖାଇ କହିଥିଲେ – ଏହା ହେଉଛି ନୀହାରିକାର ଜଗତ । ଏଠାରେ କୋଟି କୋଟି ଗ୍ରହ ନକ୍ଷତ୍ର ସର୍ବଦା ସୃଷ୍ଟି ହେଉଛି, ତୀବ୍ର ଗତିରେ ଭ୍ରମଣ କରୁଛି, ଆଉ ପରସ୍ପରକୁ ଧକ୍କା ଲଗାଇ ପୁଣି ଭାଙ୍ଗି ଯାଉଛି । ଏହାଫଳରେ ସେଠାରେ ସର୍ବଦା ଓଁ – ଓଁ – ଶବ୍ଦ ଉଚ୍ଚାରିତ ହେଉଛି । ବ୍ରହ୍ମାଣ୍ଡର ସୃଷ୍ଟିଧାରାର ଏକ ବିଶେଷ ପର୍ଯ୍ୟାୟରେ ଏହି ଓଁ ଧ୍ୱନି ଜାଗି ଉଠେ । ବିଶ୍ୱନାଥ ଶିବଙ୍କ ସଙ୍ଗେ ଏହି ଓଁ ବା ବ୍ୟୋମ ଧ୍ୱନିର ସମ୍ବନ୍ଧ ଅତି ନିକଟ । ଭଗବାନ ଶିବଙ୍କ ସମ୍ବନ୍ଧରେ ବୁଝାଇବାକୁ ଯାଇ ଯୁଗାବତାର ଶ୍ରୀ ଶ୍ରୀ ଠାକୁର କହିଛନ୍ତି – “ଶିବ’ ଶବ୍ଦର ଅର୍ଥ ମଙ୍ଗଳ । “ଯିଏ ପରମ ମଙ୍ଗଳମୟ ଓ ନିଖିଳକ୍ଷେମ ବିଧାତା ସେ ହିଁ ଶିବ । ଶିବ ଶବ୍ଦର ଉତ୍ପତ୍ତି ଶୀ – ଧାତୁ (ଶୟନ) ଠାରୁ । ଏହାର ଅର୍ଥ ହେଉଛି ସବୁକିଛି ଯାହାଙ୍କ ମଧ୍ୟରେ ଶାୟିତ ବା ଅଧିଷ୍ଠିତ ବା ଯିଏ ସମସ୍ତଙ୍କର ଆଶ୍ରୟସ୍ଥଳ ସେହି ହେଉଛନ୍ତି ଶିବ । ଶିବଙ୍କର ଆଉ ଏକ ନାମ ଶମ୍ଭୁ । ଶମ୍ ମାନେ କଲ୍ୟାଣ ଓ ଭୂ ଧାତୁମାନେ ହେବା । ଯିଏ କଲ୍ୟାଣମୟ ସେ ହିଁ ଶମ୍ଭୁ । ଏହି କଲ୍ୟାଣ ପଥରେ ଯେତେ ବାଧାବିଘ୍ନ ଓ ଘାତ ପ୍ରତିଘାତ ଆସେ ତାହାକୁ ଶିବ ବ୍ୟକ୍ତିତ୍ୱ ଜୟ କରନ୍ତି । ସଂସାରର ସମସ୍ତ ହଳାହଳ ଓ ନେତିବାଚକ ବିଷକୁ ଗ୍ରହଣ କରି ସେ ନୀଳକଣ୍ଠ ହୁଅନ୍ତି । ସେ ଭୂତନାଥ, ଭୂତେଶ ଓ ଭୂତଭାବନ । ଭୂତମାନେ ପ୍ରେତ ବା ଅଶରୀରୀ ଆତ୍ମା ନୁହେଁ । ଭୂତମାନେ ଯାହାକିଛି ହୋଇଅଛି, ସ୍ଥାବର ଜଙ୍ଗମ, ସମସ୍ତ କିଛିର ସେ ନାଥ । ମହାଦେବଙ୍କର ଦୁଇ ଅନୁଚର ବା ଶକ୍ତି – ନନ୍ଦୀ ଓ ଭୃଙ୍ଗୀ ରହିଛନ୍ତି । ନନ୍ଦୀ ଶବ୍ଦର ଉତ୍ପତ୍ତି ନନ୍ଦ ଧାତୁ ଠାରୁ, ମାନେ ଆନନ୍ଦ ଏବଂ ଭୃଙ୍ଗୀ ଆସିଛି ଭୃ ଧାତୁ ଠାରୁ, ମାନେ ଭରଣ, ପୋଷଣ ଓ ଧାରଣ । ମହାଦେବଙ୍କର ତପସ୍ୟା କଲେ ଅଫୁରନ୍ତ ଆନନ୍ଦ, ସହ୍ୟ, ଧୈର୍ଯ୍ୟ, ଅଧ୍ୟବସାୟ ଓ ବୈଶିଷ୍ଟ୍ୟାନୁପାତିକ ପରିପୋଷଣ ପ୍ରାପ୍ତ ହୁଏ । ସର୍ବଯୋଗ ବା ସର୍ବସିଦ୍ଧିର ଅଧିପତି ମହାଦେବ, ତାଙ୍କର ଅନ୍ୟ ଏକ ନାମ ଯୋଗୀଶ୍ୱର ବା ଯୋଗେଶ୍ୱର । ସକଳ ବୋଧ, ଦର୍ଶନ ଓ ଜ୍ଞାନ ତାଙ୍କର ଅଧିଗତ । ତାଙ୍କର ଅନ୍ୟ ଏକ ନାମ ପଶୁପତି ଅର୍ଥ ସେ ଜ୍ଞାନ ଓ ଦର୍ଶନର ଅଧିପତି । ସୁସ୍ଥ ଦେହ ଓ ମନ ନେଇ ବଞ୍ôଚବା ଓ ବଢ଼ିବାର କୌଶଳ ଶିବଙ୍କର ଅଧିଗତ ଏବଂ ତାଙ୍କର ଅନ୍ୟ ଏକ ନାମ ବୈଦ୍ୟନାଥ । ମହାଦେବଙ୍କ ବୃଷଭ ବାହନ ଅର୍ଥ ହେଲା ବୃଷଭ ହେଉଛି ଧର୍ମର ପ୍ରତୀକ । ସେ ଚତୁଷ୍ପଦ । ଧର୍ମ ଯେତେବେଳେ ଚତୁଷ୍ପଦ ବା ଚାରିପାଦ, ସେତେବେଳେ ତାହା ପୂର୍ଣ୍ଣ ମହିମାରେ ବିକଶିତ । ମହାଦେବଙ୍କର କଣ୍ଠରେ ସାପର ମାଳା, ତେଣୁ ତାଙ୍କର ଅନ୍ୟ ଏକ ନାମ ଫଣିଭୂଷଣ । ଏହି ସାପର ଅସ୍ତିତ୍ୱକୁ ପରମ ଦୟାଲ ଶ୍ରୀ ଶ୍ରୀ ଠାକୁର କହିଛନ୍ତି – ସାପ ହେଉଛି ହିଂସ୍ର ବ୍ୟକ୍ତିର ପ୍ରତୀକ । ସମାଜରେ ହିଂସ୍ର ବା ଖଳ ବ୍ୟକ୍ତିମାନଙ୍କୁ ମହାଦେବ ସ୍ୱପ୍ରେମରେ ବଶୀଭୂତ କରି ପାଖରେ ରଖିଛନ୍ତି ଯେଭଳି ସେମାନେ ସମାଜର ଅନ୍ୟ ମାନଙ୍କର କ୍ଷତି କରିନପାରନ୍ତି । ମହାଦେବଙ୍କର ପରିଧାନ ବ୍ୟାଘ୍ରଚର୍ମ । ବାଘ ହେଲା ସାହସୀ, ବୀର୍ଯ୍ୟବାନ ଓ କୌଶଳୀ । ବ୍ୟାଘ୍ରଚର୍ମ ଏହି ଗୁଣ ଗୁଡ଼ିକର ଦ୍ୟୋତକ । ମହାଦେବଙ୍କ ମସ୍ତିଷ୍କରେ ଚନ୍ଦ୍ର ରହିଛନ୍ତି । ତେଣୁ ତାଙ୍କ ନାମ ଚନ୍ଦ୍ରେଶ୍ୱର । ଚନ୍ଦ୍ରର ତେଜରେ ସମୁଦ୍ରରେ ଜୁଆର ଭଟ୍ଟା ହୁଏ, ମାଟି ଉର୍ବର ହୋଇ ଶସ୍ୟାଦି ଉତ୍ପନ୍ନ ହୁଏ ଓ ପୃଥିବୀରେ ଔଷଧ ସମୂହର ପରିଷ୍ଫୁଟ ହୁଏ । ତେଣୁ ଏକ ପ୍ରୟୋଜନୀୟ ବିଗ୍ରହକୁ ମହାଦେବ ତାଙ୍କର ଶିରୋଭୂଷଣ କରିରଖିଛନ୍ତି । ତ୍ରୀଶୂଳ ମହାଦେବଙ୍କ ଅସ୍ତ୍ର । ଦୁଷ୍ଟ ଦାନବ ନିଧନ ନିମିତ୍ତ ଏହି ତ୍ରୀଶୂଳ ଉଦ୍ଦିଷ୍ଟ । ତ୍ରୀଶୂଳର ତିନୋଟି ଫଳା, ସତ୍ତ୍ୱ, ରଜ ଓ ତମ, ଏହି ତିନିଗୁଣ ମହାଦେବଙ୍କ କରାୟତ୍ତ । ପୁଣି ଏହି ତିନିଟି ଫଳା ହେଉଛି ସୃଷ୍ଟି, ସ୍ଥିତି ଓ ପ୍ରଳୟର ଦ୍ୟୋତକ । ଏହା ସାଙ୍ଗରେ ଅଛି ଡମ୍ବରୁ, ସେଥିପାଇଁ କୁହାଯାଏ ସେ ଡମ୍ବରୁଧର । ଡମ୍ବରୁ ହେଉଛି ଶବ୍ଦର ପ୍ରତୀକ, ଆଦିଶବ୍ଦ ଓ ଆଦିବ୍ରହ୍ମ । ଶିବଙ୍କର ପାଞ୍ଚଟି ମୁଖ, ଏହି ପାଞ୍ଚଟି ମୁଖରେ ସେ ପରମପିତାଙ୍କର ଗୁଣଗାନ କରନ୍ତି । ସେ ତ୍ରିନୟନଧାରୀ, ଦୁଇଟି ସାଧାରଣ ଚକ୍ଷୁ ଓ ଆଉ ଗୋଟିଏ ପ୍ରଜ୍ଞାନେତ୍ର । ଏହି ପ୍ରଜ୍ଞାନେତ୍ରରୁ କ୍ରୋଧ ଓ ଜ୍ଞାନ-ବହ୍ନି ନିର୍ଗତ ହୋଇ କାମଦେବଙ୍କୁ ମହାଦେବ ଭସ୍ମୀଭୂତ କରିଥିଲେ । ଏହାର ଅର୍ଥ ହେଉଛି କାମ, କ୍ରୋଧ, ଲୋଭ, ମଦ, ମୋହ ଓ ମାତ୍ସର୍ଯ୍ୟ ଇତ୍ୟାଦି ଷଡ଼ରିପୁ ଶିବଙ୍କ ପାଖରେ ଭସ୍ମୀଭୂତ ।
ସମଗ୍ର ବିଶ୍ୱର ଯେ ପ୍ରଭୁ ସେ ହିଁ ବିଶ୍ୱନାଥ । ତନ୍ତ୍ରଶାସ୍ତ୍ରରେ ଅଛି, ଏହିପରି ଗୁଣାନ୍ୱିତ ପରମଶିବ ମଝି ମଝିରେ ପୃଥିବୀରେ ଦେଖା ଦିଅନ୍ତି ଇଷ୍ଟଗୁରୁ ରୂପେ । ଶିବତ୍ୱ ଘନୀଭୂତ ହୋଇ ପ୍ରକାଶ ପାଏ ସେହି ଶିବ ବ୍ୟକ୍ତିତ୍ୱ ମଧ୍ୟରେ ଏବଂ ସେ ହିଁ ଲୋକଗୁରୁ, ଲୋକ ଉଦ୍ଧାତା, କାଳଜୟୀ, ପରମପ୍ରେମମୟ, ବୈଶିଷ୍ଟ୍ୟପାଳୀ, ଭଗବାନ ପୁରୁଷୋତ୍ତମ । ଗୁରୁ ହିଁ ସାକ୍ଷାତ ଶିବ । ତନ୍ତ୍ରଶାସ୍ତ୍ରରେ ଅଛି “ଶିବ ରୁଷ୍ଟ ହେଲେ ଗୁରୁ ରକ୍ଷା କରିପାରେ, ଗୁରୁ ରୁଷ୍ଟ ହେଲେ ଶିବ ରାଖିବାରେ ନାରେ’ । ଶିବଙ୍କର ଅନ୍ୟଏକ ନାମ ମୃତ୍ୟୁଞ୍ଜୟ । ଏହି ଶିବ ବ୍ୟକ୍ତିତ୍ୱଙ୍କୁ ପୂଜା ଓ ଭକ୍ତି ମାଧ୍ୟମରେ ଚାରିତ୍ରିକ ଦ୍ୟୁତିରେ ମନୁଷ୍ୟ ମୃତ୍ୟୁକୁ ଜୟ କରିପାରେ । ଶିବ ଅତି ଶୀଘ୍ର ପରିତୁଷ୍ଟ ହୁଅନ୍ତି ବୋଲି ତାଙ୍କର ଅନ୍ୟ ଏକ ନାମ ଆଶୁତୋଷ । ଇଷ୍ଟଗୁରୁଙ୍କୁ ତୁଷ୍ଟ କଲେ ଶିବ ତୁଷ୍ଟ ହୁଅନ୍ତି । ଶିବଙ୍କର ଉପାସକମାନେ ଶୈବ ନାମେ ପରିଚିିତ । ଶିବଲିଙ୍ଗରେ ପାଣି ଢ଼ାଳିବାର ଅର୍ଥ ହେଉଛି ମନୁଷ୍ୟର ଯୌନ ଜୀବନକୁ ଧୀର, ସ୍ଥିର, ସୁସ୍ଥ, ଶାନ୍ତ ଓ ସୁନିୟନ୍ତ୍ରିତ ରଖିବା । ଏହି ଯୌନ ଜୀବନ ଶାନ୍ତ ହେଲେ ମଣିଷର ଜୀବନ ଶାନ୍ତ, ନିରାମୟ ଓ ସମାଜର କଲ୍ୟାଣ ସାଧନ ହୁଏ । ନାରୀ ହେଉ ବା ପୁରୁଷ ହେଉ ଯେଉଁମାନେ ଇଷ୍ଟଗୁରୁଙ୍କୁ ସାଧନା କରି ଶିବଙ୍କର ଗୁଣ ଓ ଦ୍ୟୁତିକୁ ନିଜ ଚରିତ୍ରରେ ଚରିତ୍ରାୟିତ କରିପାରନ୍ତି ସେମାନେ ହିଁ ଶିବଙ୍କୁ ତୁଷ୍ଟ କରନ୍ତି ଓ ଇଷ୍ଟଗୁରୁଙ୍କର ଆଶୀର୍ବାଦ ଲାଭ କରନ୍ତି । ଆମ ଦେଶରେ କୁମାରୀ କନ୍ୟାମାନେ ଶିବରାତ୍ରି ବ୍ରତ କରନ୍ତି । ଉଦ୍ଦେଶ୍ୟ କଲ୍ୟାଣ ଲାଭ ଓ ଶିବଙ୍କ ଭଳି ସ୍ୱାମୀ ଲାଭ । ଯୁଗଗୁରୁ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ସୁନ୍ଦର ଭାବରେ ବୁଝାଇ କହିଛନ୍ତି – ବ୍ରତ ଶବ୍ଦଟି ଆସିଛି “ବୃ’ଧାତୁ ଠାରୁ, ଅର୍ଥ ବରଣ କରିବା । ଶିବବ୍ରତ କରିବା ଅର୍ଥ ଶିବତ୍ୱକୁ ବରଣ କରିବା ବା ଶିବଙ୍କୁ ଆପଣ କରିନେବା । ବ୍ରତ ଶବ୍ଦର ଆଉ ଏକ ଅର୍ଥ – “ବ୍ରଜ୍’ ଧାତୁ ଠାର. ଅର୍ଥ ଚାଲିବା । ଶିବରୂପୀ ସଦ୍ଗୁରୁ ଯେଭଳି ଚାହାଁନ୍ତି ସେହିଭଳି ଭାବରେ ଚାଲିଲେ, କହିଲେ ଓ କରିଲେ ବ୍ରତ ସାର୍ଥକ ହୁଏ । ଉପବାସ ଅର୍ଥ ହେଉଛି- ଉପ ବା ନିକଟରେ ବାସ କରିବା । ମନକୁ ଶିବଙ୍କ ପାଖରେ ରଖିବା ଦ୍ୱାରା ଉପବାସ ସାର୍ଥକ ହୁଏ । ନାରୀ ହେଉ ବା ପୁରୁଷ ହେଉ ଯେଉଁମାନେ ଏହି ବ୍ରତ – ଉପବାସ ଠିକ୍ ଠିକ୍ ଭାବରେ କରନ୍ତି, ଅନ୍ତର ସେମାନଙ୍କର ଶୁଦ୍ଧ, ଶାନ୍ତ ଓ ମଙ୍ଗଳ ବିକିରଣୀ ହୋଇଉଠେ । ଲାଳସା ଓ ଉଗ୍ରତା ସ୍ତିମିତ ହୋଇଆସେ । ଯେଭଳି କରିବ, ସେହିଭଳି ହେବ, ବିଧି କାହାର ବାମ ନୁହେଁ । ଓଁ ନମଃ ଶିବାୟଃ ।

Loading...
>