୧ ଡିସେମ୍ବର ବିବାହ ପଞ୍ଚମୀ: ଗ୍ରହ ଓ ନକ୍ଷତ୍ରଙ୍କ ସ୍ଥିତିରୁ ସୃଷ୍ଟି ହେଉଛି ଏଭଳି ଶୁଭ ଯୋଗ

ଶ୍ରୀରାମ ଓ ମାତା ସୀତାଙ୍କ ବିବାହର ମହାପର୍ବ ‘ବିବାହ ପଞ୍ଚମୀ’ ଡିସେମ୍ବର ୧ ତାରିଖରେ ପାଳିତ ହେବ। ଏହି ଦିନ ଗ୍ରହ ନକ୍ଷତ୍ରଙ୍କ ବିଶେଷ ସ୍ଥିତି ଯୋଗୁ ଅତ୍ୟନ୍ତ ଶୁଭଯୋଗ ସୃଷ୍ଟି ହେଉଛି। ଏହି ଦିନ ଚନ୍ଦ୍ରମା ଶ୍ରବଣା ନକ୍ଷେତ୍ର ସହ ମକର ରାଶିରେ ଅବସ୍ଥାନ କରୁଥିବା ବେଳେ ସୂର୍ଯ୍ୟ ବିଛାରେ, ବୃହସ୍ପତି ଧନୁ ଓ ରାହୁ ମିଥୁନ ରାଶିରେ ଅବସ୍ଥାନ କରିବେ। ଗୋଚରାନୁସାରେ ସ୍ୱରାଶିସ୍ଥିତ ବୃହସ୍ପତି ତଥା ଚନ୍ଦ୍ରମାଙ୍କ ଏକାଦଶରେ ଲାଭ ଭାବରେ ସୂର୍ଯ୍ୟ ଅବସ୍ଥାନ କରୁଥିବାରୁ ମୁହୂର୍ତ୍ତର ଶୁଦ୍ଧତାକୁ ଅଧିକ ବୃଦ୍ଧି କରିବେ। ସେପଟେ ଚନ୍ଦ୍ର ସ୍ୱନକ୍ଷତ୍ର ଶ୍ରବଣାରେ ଥିବାରୁ ଅତ୍ୟନ୍ତ ଶୁଭ ଯୋଗ ସୃଷ୍ଟି ହେଉଛି। ତିଥି ଶୁଦ୍ଧଗ୍ରହ ପ୍ରଧାନ ଯୋଗୁ ସମସ୍ତ ପ୍ରକାର ମାଙ୍ଗଳିକ କାର୍ଯ୍ୟନିମନ୍ତେ ଅତ୍ୟନ୍ତ ଶୁଭପ୍ରଦ ବୋଲି ଜ୍ୟୋତିଷାଚାର୍ଯ୍ୟମାନେ ଆକଳନ କରିଛନ୍ତି।

୩ ଶୁଭ ଯୋଗରେ ହେବ ସୂର୍ଯ୍ୟୋଦୟ
ରବିବାର ସୂର୍ଯ୍ୟ ଓ ଚନ୍ଦ୍ରମାଙ୍କ ସ୍ଥିତି ଯୋଗୁ ‘ବୃଦ୍ଧି’ ଓ ‘ରବି’ ନାମକ ଶୁଭ ଯୋଗ ସୃଷ୍ଟି କରୁଛନ୍ତି।  ସେହିପରି ତିଥି, ବାର ଓ ନକ୍ଷତ୍ର ସଂଯୋଗ କାରଣରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ସର୍ବାର୍ଥସିଦ୍ଧି ଯୋଗ ବି ହେଉଛି। ଏହି ୩ ଯୋଗରେ ସୂର୍ଯ୍ୟୋଦୟ ହେଉଥିବାରୁ ଦିନଟି ସବୁ ପ୍ରକାର ମାଙ୍ଗଳିକ କାର୍ଯ୍ୟ ହେତୁ ଅତ୍ୟନ୍ତ ପ୍ରଶସ୍ତ। ଏହା ଛଡା ତିଥି ପୂର୍ଣ୍ଣ ଭୋଗ ହେଉଥିବା ଯୋଗୁ ସମସ୍ତ ମାଙ୍ଗଳିକ କାର୍ଯ୍ୟ ମଧ୍ୟ ପୂର୍ଣ୍ଣ ହେବ।

ଶ୍ରୀରାମ ସୀତାଙ୍କ ବିବାହ କରାଇଲେ ଦୂର ହେବ ସମସ୍ୟା
ଯେଉଁ ଲୋକ ବିବାହ କରିପାରୁନାହାନ୍ତି, ବିବାହରେ ବାଧା ସୃଷ୍ଟି ହେଉଛି ଅଥବା ବିବାହ କରିଥିଲେ ଦାମ୍ପତ୍ୟ ଜୀବନରେ ସମସ୍ୟା ଉପୁଜିଛି ସେଭଳି ଲୋକେ ଡିସେମ୍ବର ୧ ତାରିଖ ଦିନ ଶ୍ରୀରାମ ଓ ସୀତାଙ୍କ ବିଧିବିଧାନ ପୂର୍ବକ ବିବାହ ଆୟୋଜନ କଲେ ବୈବାହିକ ଜୀବନର ସମସ୍ତ ସମସ୍ୟା ଦୂର ହୁଏ ବୋଲି ପୌରାଣିକ ମାନ୍ୟତା ରହିଛି। ଏହା ଛଡା ଏହି ଦିନ ରାମ ଚରିତ ମାନସ ର ବାଳ କାଣ୍ଡରେ ଭଗବାନ ଶ୍ରୀରାମ ଓ ମାତା ସୀତାଙ୍କ ବିବାହ ପ୍ରସଙ୍ଗ ପାଠ କଲେ ଅତ୍ୟନ୍ତ ଶୁଭ ବୋଲି ମଧ୍ୟ ମାନ୍ୟତା ରହିଛି।

Loading...
Loading...
>