କରନ୍ତୁ ବାସ୍ତୁର ଏହି ୬ ଉପାୟ, ପ୍ରସନ୍ନ ହେବେ କୁବେର

କୁବେର ହେଉଛନ୍ତି ଧନର ଦେବତା।  ଏଣୁ ଆର୍ଥିକ ସମ୍ପନ୍ନ ଗୃହ ଲାଗି ତାଙ୍କର ଆଶିର୍ବାଦ ନିତ୍ୟାନ୍ତ ଜରୁରୀ। ଏଣୁ କୁବେରଙ୍କୁ ସନ୍ତୁଷ୍ଟ କରିବା ଲାଗି କିଛି ବାସ୍ତୁ ଉପାୟ ସହାୟକ ହୋଇପାରେ। ଯେଉଁ ଗୃହର ଦକ୍ଷିଣ ଓ ପଶ୍ଚିମ ଦିଗରେ ଥିବା ପ୍ରାଚୀରର କାନ୍ଥ ଉତ୍ତର ଓ ପୂର୍ବ ପଟରେ ଥିବା ପ୍ରାଚୀର କାନ୍ଥଠାରୁ ଉଚ୍ଚା ଓ ମୋଟା ଥାଏ ସେଭଳି ଗୃହ ପ୍ରତି ସର୍ବଦା କୁବେରଙ୍କ ଶୁଭଦୃଷ୍ଟି ରହିଥାଏ।

ସେହିପରି ବାସଗୃହ ଲାଗି ଭୂମି କ୍ରୟ ବେଳେ ଦେଖିବେ ଯେପରି ପ୍ରସ୍ତାବିତ ପ୍ଲଟଟି ନିକଟରେ ଥିବା ରାସ୍ତାରୁ ଟିକେ ଉଚ୍ଚରେ ଥିଲେ ଭଲ। ସଡକରୁ ନିମ୍ନରେ ଥିବା ଭୂମି କ୍ରୟ କଲେ ସର୍ବଦା ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡେ। ସେହିପରି ଘର ତିଆରି ବେଳେ ମଧ୍ୟ କିଛି ବିଷୟ ପ୍ରତି ଧ୍ୟାନ ଦେବାକୁ ପଡିଥାଏ। ଯେପରି ଗୃହର ମଧ୍ୟସ୍ଥଳ। ଏହି ସ୍ଥାନଟି  ପ୍ରଶସ୍ତ ହେବା ଆବଶ୍ୟକ ଓ ସର୍ବଦା ଖାଲି ରହିବା ଦରକାର। ସେହି ସ୍ଥାନରେ କୌଣସି ନିର୍ମାଣ କରିବା ଉଚିତ ନୁହେଁ।

ସେହିପରି ଘରର ଷ୍ଟୋର ରୁମ ଦକ୍ଷିଣ-ପଶ୍ଚିମ ଅଥବା ପଶ୍ଚିମ ଦିଗରେ କରିବା ହିଁ ଭଲ। ଏହି ଦିଗରେ ଷ୍ଟୋର ରୁମ ରହିଲେ ସମୃଦ୍ଧିର ରାସ୍ତା ଉନ୍ମୁକ୍ତ ରହିଥାଏ। ସେହିପରି ଘରର ଦ୍ୱାର ଓ କବାଟଗୁଡିକୁ ସବୁଦିନ ପୋଛାପୋଛି କରି ସଫାସୁତୁରା ରଖନ୍ତୁ। କାରଣ ଘରକୁ ଆସିବାକୁ ଥିବା ଧନର ସିଧା ସମ୍ପର୍କ ଝରକା ଓ କବାଟ ସହ ରହିଛି। ସେହିପରି ଘରର ଆର୍ଥିକ ସମୃଦ୍ଧି ଲାଗି ଦକ୍ଷିଣ ଓ ପଶ୍ଚିମ ଦିଗରେ ଉଚ୍ଚା ଗଛ ରହିବା ଦରକାର। ଏହି ସ୍ଥାନରେ ବୃକ୍ଷ ସ୍ଥିରତା ପ୍ରଦାନ କରିବା ସହ ଗୃହପତି ଆସିବାକୁ ଥିବା ବିପଦର ମୁକାବିଲା ବି କରନ୍ତି।

Loading...
Loading...
>