ମା’ସରସ୍ୱତୀ ସକଳ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ

ମା’ସରସ୍ୱତୀ ସକଳ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ । ଗାୟତ୍ରୀ ରହସ୍ୟୋପନିଷଦରେ ବର୍ଣ୍ଣିତ ଅଛି – ସରସ୍ୱତ୍ୟାଃ ସର୍ବେ ବେଦା ଅଭବନ୍ – ସରସ୍ୱତୀଙ୍କ ପାଖରୁ ସମସ୍ତ ବେଦ ସୃଷ୍ଟି । ମା’ସରସ୍ୱତୀଙ୍କର ବହୁ ନାମ ରହିଛି – ବାକ୍, ବାକ୍ୟେଶ୍ୱରୀ, ଭାରତୀ, ବାଣୀ ଇତ୍ୟାଦି । ମା’ଶୁକ୍ଳବର୍ଣ୍ଣା, ଶ୍ୱେତବସନା, କମଳବାସିନୀ, ହଂସବିହାରିଣୀ, ହସ୍ତରେ ବୀଣା, ଗଳାରେ ମୁକ୍ତାର ମାଳ ଓ କୋଳରେ ପୁସ୍ତକ ଶୋଭିତ । ଏହାର ତାତ୍ପର୍ଯ୍ୟ କ’ଣ? ସରସ୍ୱତୀ ଶବ୍ଦର ଅର୍ଥ – ସରସ୍ + ବତୀ, ସରସ ମାନେ ଜଳ, ତେଣୁ ମା’ସରସ୍ୱତୀ ହେଲେ ଜଳବତୀ । ଧାତୁଗତ ଅର୍ଥ ପ୍ରୟୋଗ କରି ଯୁଗପୁରୁଷ ଶ୍ରୀ ଶ୍ରୀ ଠାକୁର କହିଲେ – ସରସ୍ ଶବ୍ଦର ଧାତୁ ହେଉଛି ସୃ ଧାତୁ – ଅର୍ଥ ଗତି ବା ଚାଲିବା । ସରସ୍ୱତୀ ଅର୍ଥ ଗତିବତୀ, ଗତିର ପ୍ରତୀକ । ସୃ ଧାତୁର ଅନ୍ୟ ଏକ ଅର୍ଥ ହେଉଛି ବିକଶିତ ହେବା । ତେଣୁ ସରସ୍ୱତୀ ଶବ୍ଦରେ ବିକାଶର ବ୍ୟାକୁଳତା ରହିଛି । ମା’ସରସ୍ୱତୀଙ୍କର ଅନ୍ୟ ଏକ ନାମ ବାଗ୍ଦେବୀ । ବାକ୍ମାନେ ଶବ୍ଦ । ତେଣୁ ପ୍ରେମାବତାର ଶ୍ରୀ ଶ୍ରୀ ଠାକୁର କହିଲେ – ମା’ସରସ୍ୱତୀ ଶବ୍ଦର ଦେବୀ । ସରସ୍ୱତୀ ପ୍ରତିମା ମଧ୍ୟରେ ସୃଜନ ପ୍ରଗତିକୁ ଲକ୍ଷ୍ୟ କରାଯାଏ । ସୃଷ୍ଟିର ଆଦିରେ ଅଛି ଗତି । ଅନନ୍ତ ବକ୍ଷରେ ଆକର୍ଷଣ-ବିକର୍ଷଣ ମଧ୍ୟ ଦେଇ ସୃଷ୍ଟିର ପ୍ରଥମ ସଞ୍ଚାର – ଗତି ଓ ସ୍ପନ୍ଦନ ବା ଶବ୍ଦ । ଅନନ୍ତ ବ୍ୟୋମରେ ଏହି ଶବ୍ଦ ନାନା ରୂପେ ପ୍ରତିଭାତ । ତେଣୁ ଶ୍ରୀମଦ୍ ଭାଗବତରେ ଅଛି – ଆଦିରେ ପରମବ୍ରହ୍ମ ଶବ୍ଦରୂପୀ । ତାଙ୍କୁ ଉପଲବ୍ଧି କରିବାକୁ ହେଲେ ଶବ୍ଦର ଉପାସନା କରିବାକୁ ହେବ । ମା’ସରସ୍ୱତୀ ପୂଜା ସେହି ଶବ୍ଦ ଉପାସନାର ବ୍ୟାପାର । ମା’ସରସ୍ୱତୀଙ୍କର ଚରଣଯୁଗଳ ପଦ୍ମ ଉପରେ ନ୍ୟସ୍ତ ଓ ପଦ୍ମପାଣିରେ ଫୁଟିଛି । ମନୁସଂହିତାରେ ଅଛି – ଅବ୍ୟକ୍ତ ଈଶ୍ୱର ଯେତେବେଳେ ଜୀବଜଗତ ସୃଷ୍ଟି କରିବାକୁ ଇଛା କଲେ ସେ ପ୍ରଥମେ ପାଣି ବା ଜଳ ସୃଷ୍ଟି କଲେ, ପୁଣି ପଞ୍ଚମହାଭୂତ ଅର୍ଥାତ୍ କ୍ଷିତି, ଅପ୍, ତେଜ, ମରୁତ୍ ଓ ବ୍ୟୋମ ଭିତରେ ପ୍ରଥମ ଘନୀଭୂତ ରୂପ ହେଉଛି ଜଳ । ଅନ୍ୟ ସବୁ ହେଉଛି ବାୟବୀୟ ବା ବାଷ୍ପୀୟ ଅବସ୍ଥା । ଘନୀଭୂତ ପ୍ରଥମ ଭୂତ ହିଁ ହେଲା ହିଁ ପାଣି । ପାଣି ଉପରେ ପଦ୍ମ, ପଦ୍ମ ଶବ୍ଦର ଉତ୍ପତ୍ତି ପଦ୍ ଧାତୁ ଠାରୁ – ଅର୍ଥ ଗତି, ସ୍ଥିତି ଓ ପ୍ରାପ୍ତି । ଏହାକୁ ଆଶ୍ରୟ କରି ହିଁ ସୃଷ୍ଟି ବିକଶିତ ବା ବିବର୍ଦ୍ଧିତ । ଏହି ଗତି ଓ ସ୍ଥିତି ସୃଷ୍ଟିର ସବୁକିଛି ମଧ୍ୟରେ ଅନ୍ତଃସୂତ୍ୟ ଓ ଏହା ଆଗେଇ ଚାଲିଛି ପ୍ରାପ୍ତିର ଦିଗରେ ।
ମା’ସରସ୍ୱତୀଙ୍କର ହସ୍ତରେ ଅଛି ବୀଣା – ବୀଣାରୁ ଜାତ ଶବ୍ଦ ବା ଧ୍ୱନୀ – ଐଂ ହେଉଛି ମା’ସରସ୍ୱତୀଙ୍କର ବୀଜମନ୍ତ୍ର । ସାଧନାର ବିଭିନ୍ନ ସ୍ତରରେ ଏହି ଧ୍ୱନୀ ଶୁଣାଯାଏ, ମା’ସରସ୍ୱତୀଙ୍କର ବୀଜମନ୍ତ୍ର ଯେଉଁଠାରେ ଶୁଣାଯାଏ ତାହା ହେଉଛି ସତ୍ୟଲୋକ – ଯେଉଁଠାରେ ଅସ୍ତିତ୍ୱର ବାର୍ତ୍ତା ପ୍ରଚାରିତ ହୁଏ । ଶବ୍ଦ ସାଧନାରେ ଅଧିଗତ ହେଲେ ସୃଷ୍ଟିଧାରାର ମୂଳ ରହସ୍ୟ ଭକ୍ତକୁ ପ୍ରାପ୍ତ ହୁଏ । ମା’ସରସ୍ୱତୀଙ୍କର ଆଉ ଏକ ନାମ ଭଦ୍ରକାଳୀ – ଅର୍ଥାତ୍ ସେ କଲ୍ୟାଣଗତିସମ୍ପନ୍ନା । ମା’ସରସ୍ୱତୀଙ୍କର ଆଠଟି ଶକ୍ତି ଯଥା – ଲକ୍ଷ୍ମୀ, ମେଧା, ଧରା, ତୁଷ୍ଟି, ଗୌରୀ, ପୁଷ୍ଟି, ପ୍ରଭା ଓ ଧୃତି । ମା’ସରସ୍ୱତୀ ଶୁକ୍ଳବର୍ଣ୍ଣା, ଶୁଭ୍ରବସ୍ତ୍ରାବୃତା । ଏହି ଶୁଭ୍ର ବା ଧଳାରଙ୍ଗ ପବିତ୍ରତାର ପ୍ରତୀକ । ପୁଣି ସତ୍ତ୍ୱଗୁଣର ରଙ୍ଗ ମଧ୍ୟ ଧଳା । ସତ୍ତ୍ୱଗୁଣମାନେ ଅସ୍ତିତ୍ୱ ଯେଉଁଠାରେ ବଜାୟ ରହେ ତାହାର ଚର୍ଚ୍ଚା । ସତ୍ତ୍ୱଗୁଣର ଚରିତ୍ର ହେଉଛି ହାଲୁକା । ତାହା ସହଜରେ ଉପରକୁ ଉଠିପାରେ । ଯାହାର ନୀଚ ଦିଗରେ ଓଜନ ଭାରି ନୁହେଁ ଅର୍ଥାତ୍ ପ୍ରବୃତ୍ତିର ପାଷାଣଭାର ଠାରୁ ଯିଏ ମୁକ୍ତ ସେ ହିଁ ପ୍ରକୃତରେ ମୁକ୍ତ । ପୁଣି ସବୁବର୍ଣ୍ଣ ଏକତ୍ର ମିଳିଲେ ଧଳାବର୍ଣ୍ଣ ହୁଏ । ମା’ସରସ୍ୱତୀଙ୍କର ଏହି ଶୁଭ୍ରବର୍ଣ୍ଣ ମଧ୍ୟରେ ଏହି ମିଳନ ବା ସମାହାରର ଇଙ୍ଗିତ ପ୍ରତିଭାତ ହୁଏ । ଏହିସବୁକୁ ଲକ୍ଷ୍ୟ କଲେ ଜଣାଯାଏ ମା’ସରସ୍ୱତୀଙ୍କର ଉପାସନା ମାନେ ପରମବ୍ରହ୍ମର ଉପାସନା, ସୃଷ୍ଟି ତତ୍ତ୍ୱର ଉପାସନା । ଏହି ତାତ୍ପର୍ଯ୍ୟ ବୁଝି ଯେଉଁମାନେ ପୂଜା କରନ୍ତି ସେମାନଙ୍କର ପୂଜା ସାର୍ଥକ ହୁଏ । “ବିକାଶ-ବ୍ୟାକୁଳ ଗତି ହିଁ ଯାହାଙ୍କର ସଂସ୍ଥିତି – ସେ ହିଁ ମା’ ସରସ୍ୱତୀ, ଆଉ ବାକ୍ ବା ଶବ୍ଦ ହିଁ ଯାହାଙ୍କର ସତ୍ତା – ସେ ହିଁ ବାଗ୍ଦେବୀ; ତେଣୁ ଯିଏ ବାଗ୍ ଦେବୀ, ସେ ହିଁ ମା’ ସରସ୍ୱତୀ’ ।

Loading...
>