କାହିଁକି ପିନ୍ଧାଯାଏ ମଙ୍ଗଳସୂତ୍ର ଓ ଏହାର ଉଦ୍ଦେଶ୍ୟ କ’ଣ? ଆସନ୍ତୁ ଜାଣିବା

ବିବାହ ସମୟରେ ନବବଧୂଙ୍କ ଗଳାରେ ମଙ୍ଗଳସୂତ୍ର ପିନ୍ଧାଯିବା ପରମ୍ପରା ଭାରତରେ ରହିଛି। ବିବାହ ସମୟରେ ବର, କନ୍ୟାକୁ ମଙ୍ଗଳସୂତ୍ର ପିନ୍ଧାଇଥାଏ । ଏହା ନ ପିନ୍ଧିବା ଯାଏ ବିବାହ ପୂର୍ଣ୍ଣ ହୁଏ ନାହିଁ । ତେଣୁ ବିବାହରେ ମଙ୍ଗଳସୂତ୍ରର ରହିଛି ଗୁରୁତ୍ୱ। ଏଥିରେ ଥିବା କଳା ରଙ୍ଗ ମାଳିର ବିଶେଷତ୍ୱ ରହିଥାଏ। ସଧବାଙ୍କ ଗଳାରେ ମଙ୍ଗଳସୂତ୍ର ପତିର ଦୀର୍ଘଜୀବନ, ସୁରକ୍ଷା ଓ ଭଲପାଇବାର ପ୍ରତୀକ ଭାବେ ବିବେଚିତ ହୋଇଥାଏ । ତେବେ ଏହାକୁ ନେଇ ବିଭିନ୍ନ ଶାସ୍ତ୍ରରେ ନାନା ବର୍ଣ୍ଣନା ଅଛି। କଳାରଙ୍ଗର ମାଳି ଖରାପ ନଜରରୁ ଦମ୍ପତିଙ୍କୁ ରକ୍ଷା କରିଥାଏ। ଏହା ସହିତ ଶାରୀରିକ ଶକ୍ତି କ୍ଷୟ ହେବାରୁ ମଧ୍ୟ ସୁରକ୍ଷା ଦିଏ। ସେହିଭଳି ଜାତକରେ ମଙ୍ଗଳଦୋଷ ଥିଲେ ତାହା ମଙ୍ଗଳସୂତ୍ର ପିନ୍ଧିବା ଦ୍ୱାରା ଦୂର ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ଅଛି। ଆୟୁର୍ବେଦରେ ଦର୍ଶାଯାଇଛି ଯେ, ମଙ୍ଗଳସୂତ୍ର ଧାରଣ କରିବା ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ରହିଥାଏ। ଭାରତୀୟ ମହିଳାମାନେ ଅଧିକ ସମୟ ଘର କାମ କରନ୍ତି। ନିଜ ପରିବାରର ଖୁସି ପାଇଁ ସବୁବେଳେ ଚିନ୍ତିତ ରୁହନ୍ତି। ଫଳରେ ସେମାନଙ୍କଠାରେ ରକ୍ତଚାପ ସହିତ ଅନ୍ୟ ସମସ୍ୟା ଦେଖାଯାଏ। ତେବେ ମଙ୍ଗଳସୂତ୍ର ଦେହରେ ଲାଗି ରହିବା ଦ୍ୱାରା ମହିଳା ବିଭିନ୍ନ ରୋଗରୁ ରକ୍ଷା ପାଇଥାନ୍ତି ବୋଲି ରହିଛି ବିଶ୍ୱାସ।

Loading...
>